ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ: ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ ଟିମ

72

କନକ ବ୍ୟୁରୋ: ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ । ଦେଶର ଏହି ତିନି ତଦନ୍ତକାରୀ ସଂସ୍ଥାର ଉଚ୍ଚ ସ୍ତରୀୟ ଟିମ୍ ୟୁକେ ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୟୁକେରେ ଏବେ ହୀରା ବ୍ୟବସାୟୀ ନିରବ ମୋଦି, କିଙ୍ଗଫିସର ଏୟାରଲନସର ପ୍ରମୋଟର ବିଜୟ ମାଲ୍ୟା ଏବଂ ପ୍ରତିରକ୍ଷା ଡିଲର ସଂଜୟ ଭଣ୍ଡାରୀ ସମତେ ଅନେକ ବ୍ୟବସାୟୀ ରହିଛନ୍ତି । ଏମାନେ ଭାରତରେ ବିଭିନ୍ନ ବ୍ୟବସାୟ କରୁଥିଲେ । କିନ୍ତୁ ଆର୍ଥିକ ଅନିୟମିତତା କାରବା ପରେ ଆଇନର ଜାଲରେ ଫସି ଦେଶ ଛାଡି ବ୍ରିଟେନ ପଳାଇଛନ୍ତି ।

ଭାରତରୁ କୋଟି କୋଟି ଟଙ୍କା ଲୁଟି ବିଦେଶରେ ବିନ୍ଦାସ ଜୀବନ କାଟୁଥିବା ଏହି ୩ ପଳାତକଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ସମସ୍ତ ବଳ ପ୍ରୟୋଗ କରିଛନ୍ତି । ଶେଷରେ ଏମାନଙ୍କୁ ଧରିବା ପାଇଁ ସିବିଆଇ, ଏନଆଇଏ ଓ ଇଡିକୁ ନେଇ ଉଚ୍ଚସ୍ତରୀୟ ଟିମ ଗଠନ କରାଯାଇଛି ।

ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ବା ଏମଏଲଏଟି ଅଧୀନରେ ଚୁକ୍ତି ହୋଇଛି । ବ୍ରିଟେନ କର୍ତୃପକ୍ଷଙ୍କ ନିକଟରେ ଦୀର୍ଘ ଦିନ ଧରି ଅଟକ ରହିିଥିବା ପ୍ରକ୍ରିୟା ସୁଗମ ହେବା ପରେ ଲଣ୍ଡନ ଗସ୍ତରେ ଯିବାକୁ ଇଡି-ସିବିଆଇ ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍ ପ୍ରସ୍ତୁତି ଚଳାଇଛି । ସେଠାକାର ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଉଭୟ ଭାରତ ଏବଂ ବ୍ରିଟେନ ଏମଏଲଏଟିରେ ସ୍ୱାକ୍ଷର କରିଛନ୍ତି । ତେଣୁ ଅର୍ଥନୈତିକ ଅପରାଧୀ ଏବଂ ଅନ୍ୟାନ୍ୟ ମାମଲାରେ ଜଡିତ ଅପରାଧୀକ ତଦନ୍ତ ସଂପର୍କରେ ସୂଚନା ଅଂଶୀଦାର କରିବାକୁ ଆଇନଗତ ଭାବରେ ବାଧ୍ୟ ।

ପଂଜାବ ନ୍ୟାଶନାଲ ବ୍ୟାଙ୍କରୁ ନୀରବ ମୋଦୀ ୬ହଜାର କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ସେହିପରି ବିଜୟ ମାଲ୍ୟାଙ୍କ ମୁଣ୍ଡରେ ଲାଗଛି ୯ହଜାର କୋଟି ଟଙ୍କା ଠକେଇ ଅଭିଯୋଗ । ଅନ୍ୟପଟେ ସଂଜୟ ଭଣ୍ଡାରୀ ୟୁପିଏ ସରକାର ସମୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି ।

ବ୍ରିଟେନରୁ ଭାରତ ଆଣିବାକୁ ଯେଉଁ ସବୁ କଟକଣା ରହିଥିଲା ସେଗୁଡିକ ପ୍ରାୟତ ଦୂର ହୋଇଛି । ତେଣୁ ଖୁବ ଶିଘ୍ର ନୀରବ ମୋଦୀ, ବିଜୟ ମାଲ୍ୟା ଓ ସଂଜୟ ଭଣ୍ଡାରୀଙ୍କ ଭାରତ ପ୍ରତ୍ୟର୍ପଣ ସମ୍ଭାବନା ରହିଛି ।