୨ରୁ ୩ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପଡ଼ିବ କୁହୁଡ଼ି: ଗୋଟିଏ ଦୁଇଟି ସ୍ଥାନରେ ଏକ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ ତାପମାତ୍ରା

541

କନକ ବ୍ୟୁରୋ: ଆସନ୍ତା ୩ରୁ ୪ ଦିନ ପାଇଁ ରାତିର ତାପମାତ୍ରାରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହେବନି। ଗୋଟିଏ ଦୁଇଟି ସ୍ଥାନରେ ଏକ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୨ରୁ ୩ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି ହେବ। ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ରେ ରାତିର ତାପମାତ୍ରା ପୂର୍ବଭଳି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୫ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନୁଗୁଳ ଓ ସୁନ୍ଦରଗଡ଼ରେ ୧୩, ଟିଟିଲାଗଡ଼ରେ ୧୩.୧, ଫୁଲବାଣୀରେ ୧୩.୮, ସୋନପୁରରେ ୧୪, କୋରାପୁଟରେ ୧୪.୬, କେନ୍ଦୁଝରରେ ୧୪.୮, ଭବାନୀପାଟଣାରେ ୧୫ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟ ସମସ୍ତ ସହରରେ ରାତିର ତାପମାତ୍ରା ୧୫ ଡିଗ୍ରି ଉପରେ ରହିଥିଲା।