ଶ୍ରୀଲଙ୍କାରେ ପେଟ୍ରୋଲ ପାଇଁ ହାହାକାର । ପେଟ୍ରୋଲ ପମ୍ପରେ ଲାଗିଲା ‘ନୋ ପେଟ୍ରୋଲ ପୋଷ୍ଟର’ । 

152

କନକ ବ୍ୟୁରୋ: ଦିନକ ଦିନକୁ ଉତ୍କଟ ହେଉଛି ଶ୍ରୀଲଙ୍କା ପରିସ୍ଥିତି, ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପରେ ପରେ ପେଟ୍ରୋଲ ଟେନସନ୍ ଏବେ ଲଙ୍କାରେ ହାହାକାର ପକାଇଛି । ପେଟ୍ରୋଲ ପାଇଁ ପେଟ୍ରୋଲ ପମ୍ପ୍ ଗୁଡି଼କରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିବାବେଳେ, ସ୍ଥିତି ଏପରି ହେଲାଣି ଯେ, ଶ୍ରୀଲଙ୍କାର ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ‘ନୋ ପେଟ୍ରୋଲ’ ପୋଷ୍ଟର । କାରଣ ଶ୍ରୀଲଙ୍କାର ଆଉ ପେଟ୍ରୋଲ ନାହିଁ… ଲୋକଙ୍କ ଭିତରେ ତେଜିବାରେ ଲାଗିଛି ତୀବ୍ର ଅସନ୍ତୋଷ ।

ଶ୍ରୀଲଙ୍କାରେ ମାତ୍ର ଦିନକ ପାଇଁ ପେଟ୍ରୋଲ ଥିବା କହିଥିଲେ ନବନିଯୁକ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ଏହାର କିଛି ଘଣ୍ଟା ପରେ ଲଙ୍କାରେ ଯେମିତି ପେଟ୍ରୋଲ ପାଇଁ ହାହାକାର ପଡ଼ି ଯାଇଛି । ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀ ଆଗୁଆ ପେଟ୍ରୋଲ ପମ୍ପ ଗୁଡ଼ିକରେ ଭିଡ଼ ଜମାଇଥିଲେ କିନ୍ତୁ ସ୍ଥିତି ଅଣାୟତ ହେବା ପରେ ଏବେ ଲଙ୍କାର ବିଭିନ୍ନ ପେଟ୍ରାଲ ପମ୍ପରେ ଦେଖିବାକୁ ମିଳୁଛି ‘ନୋ ପେଟ୍ରୋଲ’ ପୋଷ୍ଟର ।

ଅନ୍ୟପଟେ ସୁନାର ଲଙ୍କାରେ ଖାଦ୍ୟ ସଙ୍କଟ ସହ ଅନ୍ଧାରରେ ଶ୍ରୀଲଙ୍କାବାସୀ  । ବିରାଟ ଆର୍ଥିକ ସଂଙ୍କଟ ଦେଇ ଗତି କରୁଛି ଦେଶ ।  ଅତ୍ୟାବଶ୍ୟକ ସାମଗ୍ରୀରୁ ଆରମ୍ଭ କରି ସବୁ ସାମଗ୍ରୀର ଦରଦାମ ବୃଦ୍ଧି ଶ୍ରୀଲଙ୍କାରେ ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଛି । ଚାଉଳ, କ୍ଷୀର, ମେଡ଼ିସିନ, ଇନ୍ଧନ ପରି ଅତ୍ୟବଶ୍ୟକ ସାମଗ୍ରୀର ଦର ବଢ଼ିବାରେ ଲାଗିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀର ନୁହେଁ ବୈଦେଶିକ ମୁଦ୍ରାର ମଧ୍ୟ ଶ୍ରୀଲଙ୍କାରେ ଘୋର ସଙ୍କଟ ଦେଖାଦେଇଛି ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ

– ଚାଉଳ କିଲୋପ୍ରତି ୨୪୦ ଟଙ୍କା 

-ଗହମର ମୂଲ୍ୟ ୧୯୦ ଟଙ୍କା 

– ସେଓ କିଲୋ ୧ ହଜାର ଟଙ୍କା

– ପିଆଜ କିଲୋ ପ୍ରତି  ୧୫ଶହ ଟଙ୍କା 

– ଚିନି କିଲୋପ୍ରତି ମୂଲ୍ୟ ୨୪୦ ଟଙ୍କା  

– ନଡ଼ିଆ ତେଲ ଲିଟର ପ୍ରତି ୮୫୦ଟଙ୍କା 

– ମିଲ୍କ ପାଉଡ଼ର  ୧୯ଶହ ଟଙ୍କା 

– ୩୦ ପ୍ରତିଶତ ମହଙ୍ଗା ହେଲାଣି ଔଷଧ

– ପେଟ୍ରୋଲ ପମ୍ପରେ ସେନାର ଯବାନ ମୁତୟନ

– ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି

– ଶହେ ଟଙ୍କା ଦେଲେ ମିଳୁଛି ଗୋଟେ କପ୍ ଚା’

– LPG ସିଲିଣ୍ଡର ଦର ୪ ହଜାର ଟପିଛି  

ତେବେ ଦରଦାମ ବୃଦ୍ଧି ଯୋଗୁଁ ଲୋକେ ଶ୍ରୀଲଙ୍କାରେ ରହିବା କଷ୍ଟକର ହୋଇପଡ଼ିଛି । କ୍ରମାଗତ ଦରବୃଦ୍ଧି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଘୋର ଅଭାବ ଅନଟନରେ କଟୁଛି ଶ୍ରୀଲଙ୍କାବାସୀଙ୍କ ଜୀବନ । ଏବେ ପେଟ୍ରୋଲ ପାଇଁ ପଡ଼ିଥିବା ଚହଳରେ କେମିତି ପୂର୍ଣ୍ଣଚ୍ଛେଦ ଟାଣିବେ ଶ୍ରୀଲଙ୍କା ସରକାର ତାହା ଦେଖିବାକୁ ବାକି ରହିଲା ।