୪୧ ଟଙ୍କାର ପେଟ୍ରୋଲ କାହିଁକି ବିକ୍ରି ହେଉଛି ୧୦୨ ଟଙ୍କାରେ ? ନଜର ପକାନ୍ତୁ ତେଲ ଗଣିତ ଉପରେ ।

984

କନକ ବ୍ୟୁରୋ : ପେଟ୍ରୋଲ ଭରିବା ବେଳେ ସମସ୍ତଙ୍କୁ ଟିକେ କଷ୍ଟ ହେଉଛି କାରଣ ଲିଟରକୁ ଦର ଶହେ ଟପିଗଲାଣି । କିନ୍ତୁ ଆପଣ ଯଦି ଭାବୁଥିବେ ଆପଣଙ୍କ ଭଳି ସରକାର ମଧ୍ୟ ବୋଝ ଉଠାଉଛନ୍ତି, ତେବେ ଆପଣ ଭୁଲ୍ ଭାବୁଛନ୍ତି । ସତ କଥା ହେଉଛି ସରକାର ମାଲାମାଲ ହେଉଛନ୍ତି । ପେଟ୍ରୋଲ ଦର ଯେତେ ବଢୁଛି ସରକାରଙ୍କ ରାଜସ୍ୱ ସେହି ଅନୁପାତରେ ବଢିଚାଲିଛି । ଗତ ୩ବର୍ଷରେ ସରକାର ପେଟ୍ରୋଲ ସାମଗ୍ରୀ ବାବଦରେ ୧୦ଲକ୍ଷ କୋଟିରୁ ଅଧିକ ଟିକସ ଆଦାୟ କରିଛନ୍ତି ।

ତେଲ ଟିକସରେ ରାଜକୋଷ ଭର୍ତ୍ତି । ଗ୍ରାହକ ହେଉଛନ୍ତି ହନ୍ତସନ୍ତ । ୧୦୨ ଟଙ୍କା ଟପିଗଲାଣି ପେଟ୍ରୋଲ, ଆଉ ଦିନ କେଇଟା ପରେ ଡିଜେଲ ବି ଛୁଇଁବ ଶହେ ଟଙ୍କା । ହେଲେ ଟିକସ କମାଇବାକୁ ରାଜି ହେଉନାହାନ୍ତି କେନ୍ଦ୍ର ସରକାର ।

ମୋଦୀ ସରକାରଙ୍କ ସବୁଠୁ ବଡ଼ ଯୁକ୍ତି ହେଉଛି, ୟୁପିଏ ଅମଳରେ ଯେଉଁ ଅଏଲ ବଣ୍ଡ ହୋଇଥିଲା, ତାକୁ ଶୁଝିବାକୁ ପଡୁଛି, ତେଣୁ ଟିକସ କମାଇ ହେବ ନାହିଁ । ତେବେ ଏପରି ଯୁକ୍ତି ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେଲ ଗଣିତର ଗୋଲକ ଧନ୍ଦା ବୁଝିଗଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସହଜରେ ବୁଝିହେବ କିପରି ତେଲ ବଣ୍ଡର ଦ୍ୱାହି ଦେଇ ସାଧାରଣ ଲୋକଙ୍କ ଉପରେ ବୋଝ ଲଦୁଛନ୍ତି ସରକାର । ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ତେଲରୁ ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା ଟିକସ ଆଦାୟ କଲେଣି । ନଜର ପକାନ୍ତୁ
ତେଲ ଗଣିତ ଉପରେ ।

ଗତ ୭ ବର୍ଷରେ ତେଲରୁ ଆସିଛି ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା
ତେଲ ବଣ୍ଡ ବାବଦରେ ୨୦୨୫-୨୬ ସୁଦ୍ଧା ଶୁଝିବାକୁ ପଡ଼ିବ ୧ ଲକ୍ଷ ୩୪ ହଜାର କୋଟି
ଚଳିତ ଆର୍ଥିକ ବର୍ଷରେ ଦେବାକୁ ହେବ ୧୦ ହଜାର କୋଟି

ୟୁପିଏ ସରକାର ଅମଳରେ ଗ୍ରାହକଙ୍କ ଉପରେ ଆର୍ଥିକ ଚାପ କମାଇବା ପାଇଁ ତେଲ ବଣ୍ଡ ଜାରି ହୋଇଥିଲା । ଉଦ୍ଦେଶ୍ୟ ଥିଲା, ଅନ୍ତର୍ଜାତୀୟ ଅଶୋଧିତ ତେଲ ଦର ବୃଦ୍ଧି ସତ୍ୱେ ଗ୍ରାହକଙ୍କୁ ରିହାତି ଦରରେ ତେଲ ଯୋଗାଇଦେବା ।
ଏପଟେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଅଶୋଧିତ ତୈଳ ଦର ତଳକୁ ଖସିଲା, ହେଲେ ଏହାର ସୁବିଧା ପାଇଲେନି ଗ୍ରାହକ । ବଂର ତେଲ ଉପରେ ଟିକସ କସି ଚାଲିଲେ ସରକାର । ଅନ୍ତର୍ଜାତୀୟ ତେଲ ଦର ବଢ଼ିବା ସହ ବଢ଼ିଚାଲିଲା ଟିକସ ବୋଝ । ନଜର ପକାନ୍ତୁ, ଯେଉଁ ପେଟ୍ରୋଲ ଲିଟରକୁ ଆପଣ ୧୦୨ ଟଙ୍କାରୁ ଅଧିକ ଦେଇ କିଣୁଛନ୍ତି, ସେଥିରୁ କେତେ ଟିକସ ଆଦାୟ କରୁଛନ୍ତି ସରକାର । ମୂଳଦର ୪୧ ଟଙ୍କା ୮୮ ପଇସା ହୋଇଥିଲେ ବି ଆପଣଙ୍କୁ ଦେବାକୁ ପଡୁଛି ପ୍ରାୟ ଅଢ଼େଇ ଗୁଣ । ଖାଲି ୫୬ ଟଙ୍କାର ଟିକସ ଗଣିବାକୁ ପଡୁଛି ।

ଭୁବନେଶ୍ୱରରେ ପେଟ୍ରୋଲ ଦର
ମୂଳଦର             ୪୧.୮୮ ଟଙ୍କା
ଉତ୍ପାଦନ ଶୁଳ୍କ      ୩୨.୯୦ ଟଙ୍କା
ଭାଟ                 ୨୨.୯୯ ଟଙ୍କା
ଡିଲର               ୩.୩୯ ଟଙ୍କା
ଗ୍ରାହକ ଦେଉଛି   ୧୦୨.୦୬ ଟଙ୍କା

ଏବେ ନଜର ପକାନ୍ତୁ ଗତ ୩ ବର୍ଷରେ ପେଟ୍ରୋଲିୟମ ସାମଗ୍ରୀ ଟିକସ ବାବଦରେ କେନ୍ଦ୍ର କେତେ ପାଇଛି, ରାଜ୍ୟ କେତେ ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଟିକସ ଆଦାୟ ହୋଇଥିବା ବେଳେ ୨୦୧୯-୨୦ରେ ୩ ଲକ୍ଷ ୩୪ ହଜାର କୋଟି ଓ ୨୦୧୮-୧୯ରେ ୩ ଲକ୍ଷ ୪୮ ହଜାର କୋଟି ଟଙ୍କା ଆଦାୟ ହୋଇଛି ।

କିଏ ପାଇଛି କେତେ ?
ଆର୍ଥିକ ବର୍ଷ                   କେନ୍ଦ୍ର                                ରାଜ୍ୟ
୨୦୨୦-୨୧       ୩,୫୩,୮୧୨ କୋଟି             ୬,୨୨୪ କୋଟି
୨୦୧୯-୨୦       ୩,୩୪,୩୧୫ କୋଟି             ୫,୪୯୫ କୋଟି
୨୦୧୮-୧୯       ୩,୪୮,୦୪୧ କୋଟି             ୫,୬୬୦ କୋଟି

ଗତ ୩ ବର୍ଷ ମଧ୍ୟରେ ୧୦ ଲକ୍ଷ କୋଟିରୁ ଅଧିକ ଟିକସ ଆଦାୟ କଲେଣି । ହେଲେ ଟିକସ ନକମାଇ କେତେବେଳେ କରୋନା ଟିକା, କେତେବେଳେ ଭିତ୍ତିଭୂମି ବିକାଶ ତ କେତେବେଳେ ତେଲ ବଣ୍ଡର ଆଳ ଦେଖାଉଛନ୍ତି କେନ୍ଦ୍ର ସରକାର । ଯାହାର ସିଧାସଳଖ ବୋଝ ପଡୁଛି ଗ୍ରାହକଙ୍କ ଉପରେ ।