ଦେଶ ପାଇଁ ଲଢିଥିଲେ, କିନ୍ତୁ ସରକାର ଭୁଲିଗଲେ ! ସ୍ୱାଧୀନତା ସଂଗ୍ରାମୀ ହୀରା ସିଂହଙ୍କୁ ୪୦ ବର୍ଷର ସଂଘର୍ଷ ପରେ ମିଳିଲା ପେନସନ୍ ।

105

କନକ ବ୍ୟୁରୋ : ଭାରତର ସ୍ୱାଧୀନତା ପାଇଁ ଇଂରେଜ ମାନଙ୍କ ସହ ଲଢିଥିବା ୯୫ ବର୍ଷୀୟ ସ୍ୱତନ୍ତ୍ରତା ସେନାନୀ ହୀରା ସିଂହଙ୍କୁ ୪୦ ବର୍ଷର ସଂଘର୍ଷ ପରେ ପେନସନ୍ ମିଳିଛି । ୧୨ ପ୍ରତିଶତ ସୁଧ ସହ ବକେୟା ଥିବା ପେନସନ୍ ରାଶି ଏବଂ ଜୋରିମାନା ଆକାରରେ ୧ ଲକ୍ଷ ଟଙ୍କା ହୀରା ସିଂହଙ୍କୁ ଦେବାକୁ ଗତକାଲି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଚାରପତି ସି ହରିଶଙ୍କରଙ୍କ ଖଣ୍ଡପୀଠ ଏହି ମାମଲାରେ କହିଛନ୍ତି ଯେ, ଲୋକମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ଦୁଃଖ, ଯନ୍ତ୍ରଣା ଏବଂ ବଳିଦାନ ଭୁଲିଗଲେଣି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ହୀରା ସିଂହ ସ୍ୱତନ୍ତ୍ରତା ସୈନିକ ସମ୍ମାନ ପେନସନ୍ ଯୋଜନା ଅନୁଯାୟାୀ, ୧୯୮୨ ମାର୍ଚ୍ଚ ମାସରେ ଆବେଦନ କରିଥିଲେ । କିନ୍ତୁ ତାଙ୍କୁ ପେନସନ୍ ମିଳିବାରେ ୪୦ ବର୍ଷ ଲାଗିଗଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହୀରା ସିଂହଙ୍କ ପେନସନ୍ ଆବେଦନକୁ ଜୁନ୍ ୨୦୧୭ରେ କେନ୍ଦ୍ର ସରକାର ରଦ୍ଦ କରିଦେଇଥିଲେ । ତେବେ ଦିଲ୍ଲୀ ହାଇକୋର୍ଟ ଏବଂ ହୀରା ସିଂହଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଆସନ୍ତା ୪ ସପ୍ତାହ ମଧ୍ୟରେ ୧ ଲକ୍ଷ ଟଙ୍କା ସହ ବକେୟା ରହିଥିବା ସମସ୍ତ ପେନସନ୍ ରାଶି ହୀରା ସିଂହଙ୍କୁ ଯୋଗାଇ ଦେବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୋର୍ଟଙ୍କ ନିର୍ଦ୍ଦେଶ ସରକାର ନମାନନ୍ତି, ତେବେ ବର୍ଷକୁ ୧୨ ପ୍ରତିଶତ ସୁଧ ଆକାରରେ ସମସ୍ତ ଟଙ୍କା ହୀରାଙ୍କୁ ଫେରାଇବେ ସରକାର ।