ଉଜୁଡି ଗଲା ଖୁସିର ସଂସାର । ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡେଇଁପଡ଼ିଲେ ଚନ୍ଦନ ସାହୁ

922

କନକ ବ୍ୟୁରୋ : ମାସକ ତଳେ ସୁରଟରେ ପତ୍ନୀ ଓ କୁନିଝିଅ ସହ ବେଶ ହସଖୁସିରେ ଦିନ କାଟୁଥିଲେ ଭଦ୍ରକ ପରମାନନ୍ଦପୁର ଗାଁର ଚନ୍ଦନ ସାହୁଙ୍କ ପରିବାର । କିନ୍ତୁ ମାସକ ପରେ ଉଜୁଡି ଯାଇଛି ଏହି ସୁନାର ସଂସାର । ଏହି ଦୁଃଖ କାହାଣୀ ଯିଏ ଶୁଣିବ, ତା’ ଆଖିରୁ ଲୁହ ଆପଣା ଛାଏଁ ଖସି ପଡିବ ।

ଭଦ୍ରକ ଆଖୁଆପଦା ନିକଟ ବୈତରଣୀ ନଦୀକୁ ଅଢ଼େଇ ବର୍ଷର ଝିଅକୁ ଧରି ଡେଇଁ ପଡ଼ିଲେ ଚନ୍ଦନ ସାହୁ । ନଈର ସୁଅରେ ଭାସିଗଲେ ବାପା-ଝିଅ । ମାସକ ତଳେ ସୁରଟରେ ଚନ୍ଦନଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦଉଡ଼ି ଦେଇ ଜୀବନ ହାରିଥିଲେ । ସେହିଦିନ ଠାରୁ ଅବସାଦ ଭିତରେ ଥିଲେ ଚନ୍ଦନ । ଶେଷରେ ସେ ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତି ନେଇଥିଲେ । ମୃତ୍ୟୁ ପୂର୍ବରୁ ଭଉଣୀଙ୍କ ସହ ଫୋନରେ କଥା ହୋଇଥିଲେ । ଜୀବନ ହାରିବା ପାଇଁ ଝିଅକୁ ନେଇ ଯାଉଥିବା ଜଣାଇଥିଲେ । ଏଭଳି ନିଷ୍ପତି ନନେବାକୁ ଭଉଣୀ ଯେତେ ଅନୁନୟ ବିନୟ କରିଥିଲେ ବି ଶୁଣିନଥିଲା ଚନ୍ଦନ ।
ଭଉଣୀ ସହ ଫୋନରେ କଥାହେଉଥିବା ବେଳେ କୁନିଝିଅର ଖନି ଖନି କଣ୍ଠସ୍ୱର ମଧ୍ୟ ଶୁଭୁଥିଲା, ଯାହା ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ । ବାପା କଣ କରିବାକୁ ଯାଉଛନ୍ତି ଅବୋଧ ଶିଶୁ ବୁଝି ପାରୁନଥିଲା । ହେଲେ ଗାଡ଼ିରେ ଯାଉଥିବା ବେଳେ କାହିଁକି ମୋବାଇଲ୍ରେ କଥା ହେଉଛ ବୋଲି ସେ ତାଗିଦ କରୁଥିଲା । ଏପଟେ ପୁଅ ରାତିରେ ନାତୁଣୀକୁ ନେଇ କୁଆଡ଼େ ଚାଲିଗଲା, କିଛି ନଜାଣିଥିଲେ ବି ଚନ୍ଦନଙ୍କ ମାଆଙ୍କ ମନରେ ପାପ ଛୁଇଁଥିଲା । ବାରମ୍ବାର ଫୋନ କରିଥିଲେ ବି ଉଠାଇ ନଥିଲେ ଚନ୍ଦନ । କୁନି ଝିଅ, ମାଆଙ୍କ ସହ କଥା ହୋଇଥିଲା, ଆଉ କହିଥିଲା ବାପା ଓ ସେ ମରିବାକୁ ଯାଉଛନ୍ତି । ଏତିକି ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିଲେ ଚନ୍ଦନଙ୍କ ମାଆ । ଏବେ ତାଙ୍କ ଆଖିରୁ ଲୁହ ଶୁଖୁନି । ପୁଅ ଓ ନାତୁଣୀଙ୍କ ମୁହଁ ତାଙ୍କ ଆଗରେ ନାଚିଯାଉଛି ।

ସୁରଟରେ ଗୋଟିଏ ସୂତାକଳରେ କାମ କରୁଥିଲେ ଚନ୍ଦନ । ପତ୍ନୀ ଲକ୍ଷ୍ମୀପ୍ରିୟା ସିଲେଇ କରି କିଛି ରୋଜଗାର କରୁଥିଲେ । କିନ୍ତୁ ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିବା ପରେ ପୂରା ଭାଙ୍ଗି ପଡିଥିଲେ ଚନ୍ଦନ । ପୋଷ୍ଟମଟମ ପରେ ଘରକୁ ଆସି ଶୁଦ୍ଧିକ୍ରିୟା ପରେ ପୁଣି ସୁରଟକୁ ଫେରିଥିଲେ । ହେଲେ ସେଠାରେ ଅଧିକ ଦିନ ରହି ପାରିନଥିଲେ । ଘରକୁ ଫେରି ଆସିଥିଲେ । ପତ୍ନୀଙ୍କୁ ସବୁବେଳେ ଝୁରି ହେଉଥିଲେ ଚନ୍ଦନ । ଏପଟେ କୁନି ଝିଅ, ମା ପାଖକୁ ଯିବା ପାଇଁ ଜିଦ କରୁଥିଲା । ଭୟଙ୍କର ମାନସିକ ଚାପରେ ସେ ରହୁଥିଲେ ।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିବିଡ଼ ସଂପର୍କ ଥିବା ବେଳେ କାହିଁକି ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିଲେ, ତାହା ଏବେ ବି ସଂଦେହ ଘେରରେ । ତେବେ କୁହାଯାଉଛି, ୪ ବର୍ଷର ହସଖୁସିର ଦାମ୍ପତ୍ୟ ଜୀବନ ଭିତରେ କୌଣସି କାରଣରୁ ଲକ୍ଷ୍ମିପ୍ରିୟାଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିଲା । ଚନ୍ଦନ ଘରେ ନଥିବା ବେଳେ ସେ ରଶି ଲଗାଇ ଝୁଲି ପଡ଼ିଥିଲେ । ଏପଟେ ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକ ଏଥିପାଇଁ ଚନ୍ଦନକୁ ଦାୟୀ କରିଥିଲେ । ସରପଂଚଙ୍କ ଉପସ୍ଥିତିରେ ଗାଁରେ ମିଟିଂ ହୋଇଥିଲା । ୬ ମାସ ଭିତରେ ଝିଅ ଆକାଉଂଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ଚନ୍ଦନକୁ କୁହାଯାଇଥିଲା ।

ଗୋଟିଏ ପଟେ ପତ୍ନୀଙ୍କ ହରାଇଥିଲେ । ଏପଟେ ୨ ଲକ୍ଷ ଟଙ୍କା ଝିଅ ନାଁରେ ଜମା କରିବା ପାଇଁ ୬ ମାସର ସମୟ । ଏହାରି ଭିତରେ ଝିଅକୁ ଧରି ଚନ୍ଦନ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତି ନେଇଥିବା ସଂଦେହ କରାଯାଉଛି ।