ପ୍ରତିଦିନ ଦୋକାନ ବନ୍ଦ କରିବା ପରେ ଭୋକିଲା ଲୋକଙ୍କ ପାଇଁ କଦଳୀ କାନ୍ଧି ଟାଙ୍ଗିଦେଇଯାଆନ୍ତି ଦୋକାନୀ । ମହାମାରୀ ବେଳେ ମନ କିଣିନେଲେ ଫଳ ବ୍ୟବସାୟୀ ।

227

କନକ ବ୍ୟୁରୋ : ଫଳ ବ୍ୟବସାୟୀଙ୍କ ବଡ଼ ହୃଦୟ, ପ୍ରତିଦିନ ଦେଉଛନ୍ତି ମାଗଣାରେ କଦଳୀ । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଦେଶରେ ଅଧିକାଂଶ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଭଳି କଟକଣା ଲାଗୁ କରାଯାଇଛି । କିନ୍ତୁ ଏଭଳି ସଙ୍କଟ ସମୟରେ ଛୋଟ ଛୋଟ ବ୍ୟବସାୟୀ ଅଧିକ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଏହାରି ଭିତରେ ତାମିଲନାଡୁର ଜଣେ ଫଳ ବ୍ୟବସାୟୀ ଏମିତି କାର୍ଯ୍ୟ କରୁଛନ୍ତି, ଯାହା ଜାଣିଲେ ଆପଣ ମଧ୍ୟ ତାଙ୍କୁ ପ୍ରଂଶସା ନକରି ରହିପାରିବେ ନାହିଁ ।

ଯଦି ଆପଣଙ୍କୁ ଭୋକ ଲାଗୁଛି, ତେବେ ଆପଣ ଏଠାରୁ ମାଗଣାରେ କଦଳୀ ନେଇ ଖାଇପାରିବେ, କିନ୍ତୁ ଦୟାକରି କଦଳୀ ନଷ୍ଟ କରିବେ ନାହିଁ । ପ୍ରତିଦିନ ଦୋକାନ ବନ୍ଦ କରିବା ପରେ ସ୍ଲେଟରେ କିଛି ଏମିତି ଲେଖିଦେଇ, ଆଉ ଦୋକାନ ବାହାରେ କଦଳୀ କାନ୍ଧି ଟାଙ୍ଗିଦେଇ ଚାଲିଯାଆନ୍ତି ତାମିଲନାଡୁ କୋବିଲପଟ୍ଟିର ଜଣେ ଫଳ ବ୍ୟବସାୟୀ ମୁଥ୍ୟୁପାଣ୍ଡି ।
ଭଡାରେ ଘର ନେଇ ଛୋଟ ଫଳ ଦୋକାନଟିଏ ସିନା କରିଛନ୍ତି, କିନ୍ତୁ ତାଙ୍କ ହୃଦୟ କେତେ ବଡ, ତାହା ଜଣାପଡୁଛି ।

ଦିନେ କି ଅଧେ ନୁହେଁ ପ୍ରତିଦିନ ଏମିତି ଦୋକାନ ବାହାରେ କଦଳୀ ଟାଙ୍ଗିଦେଇ ଚାଲିଯାଆନ୍ତି ଏହି ଫଳ ଦୋକାନୀ । ଆଉ ଭୋକରେ ଥିବା ଲୋକେ ଏଠାରୁ କଦଳୀ ଖାଇଥାନ୍ତି । ତେବେ ଏହି ଫଳଦୋକାନୀଙ୍କ କହିବା କଥା, ଲକଡାଉନ୍ କାରଣରୁ ଅନେକ ଲୋକ ଭୋକଉପାସରେ ଦିନ କାଟୁଥିବେ । ତେଣୁ ସେମାନେ କଣ ଖାଇବେ, ସେଇ କଥା ଭାବି, ସେ କଦଳୀ ଟାଙ୍ଗି ଦେଇ ଚାଲିଯାଆନ୍ତି ।

କରୋନା କାଳରେ ଯେଉଁଠି ସାହାଯ୍ୟ ତ ଦୂରର କଥା, ନିଜ ଲୋକ ବି ପର କରିଦେଉଛନ୍ତି, ସେତେବେଳେ ଏହି ଫଳଦୋକାନୀ ସ୍ୱାର୍ଥପର ସମାଜରେ ମଣିଷପଣିଆ ବଂଚିରହିଥିବାର ବଡ ବାର୍ତ୍ତା ଦେଉଛନ୍ତି । ନିଜେ ପଛେ କଷ୍ଟରେ ଟିକେ ରହିଯିବେ, କିନ୍ତୁ ଅନ୍ୟର କଷ୍ଟ ସେ ଦେଖିପାରୁନାହାନ୍ତି । ଏଭଲି ବଡ ହୃଦୟବାନ ବ୍ୟକ୍ତିଙ୍କୁ ଆମର ଶହେ ସଲାମ୍ ।