ବିଜେଡି ଛାଡ଼ୁଛନ୍ତି ସିନେ ତାରକା । ଦଳ ଛାଡ଼ିଲେ ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ବି ଦଳରୁ ଦେଲେ ଇସ୍ତଫା

222

କନକ ବ୍ୟୁରୋ : ଆକାଶ ଦାସନାୟକଙ୍କ ପରେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫା ପତ୍ର । ଦଳରେ କୋଣଠେସା ହୋଇ ରହୁଥିବାରୁ ଅସନ୍ତୁଷ୍ଟ ଥିଲେ ଅନୁଭବ । ବିଭିନ୍ନ ସମୟରେ ବିଜେଡିର କାର୍ଯ୍ୟକ୍ରମରେ ତାଙ୍କ ଦେଖା ମିଳୁନଥିଲା । ଏମିତିକି ତାଙ୍କ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡାକୁ ନେଇ ବିଜେଡି କରିଥିବା ସମୀକ୍ଷା ବୈଠକରେ ସାମିଲ ନଥିଲେ । ଦଳରେ ଏକ ପ୍ରକାର ନିଷ୍କ୍ରିୟ ହୋଇପଡିଥିଲେ । ଇସ୍ତଫା ପତ୍ରରେ ଅନୁଭବ ଲେଖିଛନ୍ତି, ବିଜେଡିରେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ତାକୁ ତୁଲାଇଛନ୍ତି । ଦଳ ଛାଡ଼ିବା ତାଙ୍କର କେବଳ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ମାତୃଭୂମିରେ ସେବା ପାଇଁ ଦଳ ଛାଡୁଛନ୍ତି । ବିଜେଡି ଛାଡିଥିଲେ ମଧ୍ୟ ରାଜନୀତି ଛାଡ଼ିନାହାନ୍ତି । ସୁଯୋଗ ମିଳିଲେ ପୁଣି ଲୋକଙ୍କ ପ୍ରତିନିଧ୍ୱତ୍ୱ କରିବେ ।

୨୦୧୪ର ବିଜେଡିରୁ ରାଜ୍ୟସଭା ଯାଇଥିଲେ ଅନୁଭବ । ୨୦୧୯ରେ ବିଜେଡି ଟିକେଟ୍ରେ ବୈଜୟନ୍ତ ପଣ୍ଡାଙ୍କୁ ହରାଇ କେନ୍ଦ୍ରାପଡ଼ା ସାଂସଦ ହୋଇଥିଲେ । ସେହିପରି ଭିଡିଓ ମେସେଜ୍ ଦେଇ ବିଜେଡି ଛାଡିଛନ୍ତି ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ଦାୟକ । ସେ କହିଛନ୍ତି – ଅନ୍ତରାତ୍ମାର ସ୍ୱର ଶୁଣି ସେ ଦଳ ଛାଡୁଛନ୍ତି । କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସମର୍ଥକ ଓ ସହଯୋଗୀମାନଙ୍କ ପରାମର୍ଶରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଆକାଶ । ୨୦୧୪ରୁ ୨୦୧୯ପର୍ଯ୍ୟନ୍ତ କୋରେଇର ବିଧାୟକ ଥିଲେ ଆକାଶ, ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା ।

ନିର୍ବାଚନ ପୂର୍ବରୁ ୪ ଜଣ ଲୋକପ୍ରିୟ ସିନେ ତାରକା ବିଜେଡିରୁ ଇସ୍ତଫା ଦେଇଛନ୍ତି । ଅରିନ୍ଦମ ରୟ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ବିଜେଡି ଛାଡି ଦେଇଛନ୍ତି । ଇସ୍ତଫା ଦେବାର ୨-୩ ଘଂଟା ମଧ୍ୟରେ ବିଜେପିରେ ଯୋଗ ଦେଇଥିଲେ ଅରିନ୍ଦମ ରୟ । ସେହିପରି ଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ସିଦ୍ଧାନ୍ତ ମହାପାତ୍ର । ଏପଟେ ଅନୁଭବ ମହାନ୍ତି ମଧ୍ୟ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଆକାଶ ଦାସନାୟକ ମଧ୍ୟ ପଦ୍ମ ଶିବିରରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳୁଛି ।