ଭିତରକନିକାରେ ହେବ ଦେଶୀୟ ପକ୍ଷୀ ଗଣନା । ବୁଧବାରଠାରୁ ଆରମ୍ଭ ହେବ ପକ୍ଷୀଗଣନା

Advertisment
ଭିତରକନିକାରେ ହେବ ଦେଶୀୟ ପକ୍ଷୀ ଗଣନା । ବୁଧବାରଠାରୁ ଆରମ୍ଭ ହେବ ପକ୍ଷୀଗଣନା

source : google

କନକ ବ୍ୟୁରୋ : ଭିତର କନିକାରେ ଦେଶୀୟ ପକ୍ଷୀ ବାରମ୍ବାର ଠିକଣା ବଦଳାଉଛନ୍ତି। ପକ୍ଷୀବିହାର ରୂପେ ପରିଚିତ ବଗ ଗହନକୁ ଛାଡି ୪/୫ବର୍ଷ ହେଲା ମଠଆଡିଆରେ ବସା ବାନ୍ଧୁଥିଲେ ଦେଶୀୟ ପକ୍ଷୀ। ମାତ୍ର ଏ ବର୍ଷ ଦେଶୀୟ ପକ୍ଷୀ ପୁଣି ଠିକଣା ବଦଳାଇଛନ୍ତି। ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଲକ୍ଷ୍ମୀପ୍ରସାଦ ଡିଆରେ ସେମାନେ ବସା ବାନ୍ଧି ଅଣ୍ତା ଦେଇଛନ୍ତି। ମଠଆଡିଆରେ ଅଳ୍ପ ସଂଖ୍ୟକ ପକ୍ଷୀ ବସା ବାନ୍ଧିଥିବା ବେଳେ ଲକ୍ଷ୍ମୀପ୍ରସାଦଡିଆରେ ଏତେ ସଂଖ୍ୟକ ପକ୍ଷୀ ବସା ବାନ୍ଧିବା ଘଟଣା ସାମ୍ନାକୁ ଆସିଛି। ଆସନ୍ତା ୧୮ରୁ ୨୪ ତାରିଖ ଯାଏଁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ ବୋଲି ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

publive-imageଭିତରକନିକାରେ ଭିଡ ଜମାଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ଅଗଷ୍ଟ ୨୩ ରୁ ୨୯ ତାରିଖ ଯାଏଁ ୭ଦିନ ଧରି ହୋଇଥାନ୍ତା। ଗଣନାକାରୀ ଟିମ ମଠଆଡିଆରେ ପହଞ୍ଚିବା ପରେ ମାତ୍ର ଅଳ୍ପ ସଂଖ୍ୟକ ପକ୍ଷୀ ବସା ବାନ୍ଧିଥିବା ଓ ହଜାର ହଜାର ପକ୍ଷୀ ବସା ବାନ୍ଧିବା ପାଇଁ କୁଟା କାଠି ଧରି ଉଡୁଥିବା ଦେଖିବାକୁ ପାଇଥିଲେ। ଫଳରେ ଗଣନା ବନ୍ଦ ରହିଥିଲା। ଏହାପରେ ଚଳିତମାସ ୨ ତାରିଖ ଦିନ ଲକ୍ଷ୍ମୀପ୍ରସାଦଡିଆରେ ହଜାର ହଜାର ଦେଶୀୟ ପକ୍ଷୀ ବସା ବାନ୍ଧିଥିବା ଦେଖିବାକୁ ମିଳିଥିଲା। ବନବିଭାଗ ଟିମ ଘଟଣାସ୍ଥଳ ଅନୁଧ୍ୟାନ କରି ଡିଏଫଓଙ୍କୁ ରିପୋର୍ଟ ଦେଇଥିଲେ। ଆସନ୍ତା ୧୮ ରୁ ୨୪ ତାରିଖ ୭ଦିନ ଧରି ଭିତରକନିକାର ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଗଣନା କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ୩ଟି ଟିମ୍ ଏହି ପକ୍ଷୀଙ୍କ ଗଣନା କରିବେ।

publive-imageସୂଚନା ଥାଉ କି, ଦୀର୍ଘ ୨୦/୨୫ ବର୍ଷ ଧରି ଭିତରକନିକାର ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ ଜମାଇବା ସହିତ ବସା ବାନ୍ଧିଥାନ୍ତି। ମାତ୍ର ୪/୫ବର୍ଷ ହେଲା ଦେଶୀୟ ପକ୍ଷୀମାନେ ବଗଗହନ ବଦଳରେ ସେଠାରୁ ୩ କିମି ଦୂର ମଠଆଡିଆରେ ଭିଡ ଜମାଇଆସୁଥିଲେ। ମାତ୍ର ଏ ବର୍ଷ ମଠଆଡିଆରେ ଅଳ୍ପ ସଂଖ୍ୟକ ଦେଶୀୟ ପକ୍ଷୀ ବସା ବାନ୍ଧି ଅଣ୍ତା ଦେଇଛନ୍ତି। ହଜାର ହଜାର ଦେଶୀୟ ପକ୍ଷୀ ଠିକଣା ବଦଳାଇ ଭିତରକନିକାର ଦୁର୍ଗାପ୍ରସାଦ ଫରେଷ୍ଟ ବ୍ଲକର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଲକ୍ଷ୍ମୀପ୍ରସାଦ ଡିଆରେ ଭିଡ ଜମାଇଛନ୍ତି। ସେଠାରେ ଥିବା ଓରୁଅ ଗଛରେ ବସା ବାନ୍ଧି ଅଣ୍ତା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଗେଣ୍ତାଳିଆ ଓ ବଗ ଥିବା ବନବିଭାଗ ସୂତ୍ରରୁ ଜଣାପଡିଛି। ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମଠଆଡିଆରେ ଗୁଆଁ ଓ ବନିଗଛରେ କପରଖାଇ, ପାଣିକୁଆ, ଦାବେଂଟିଆ ପକ୍ଷୀ ବସା ବାନ୍ଧିଥିବା ବେଳେ ଲକ୍ଷ୍ମୀପ୍ରସାଦଡିଆରେ ଗେଣ୍ତାଳିଆ, ବଡବଗ, ମଝିଆଁବଗ, ଛୋଟବଗ, ରାଣୀବଗ, ଅଂଜନା, ଖଇରା, ଦାବେଂଟିଆ ଆଦି ପକ୍ଷୀ ହଜାର ହଜାର ସଂଖ୍ୟାରେ ବସା ବାନ୍ଧିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe