କନକ ବ୍ୟୁରୋ : ସ୍ନାନ କରିବା ପରେ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ଅସୁସ୍ଥ ହୋଇଥିବାରୁ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ, ଉପଶମ ହେବା ଯାଏଁ ୧୫ ଦିନ କାଳ ଅଣସର ଘରେ ରହିବେ । କାଳିଆ ଠାକୁରଙ୍କ ଆରୋଗ୍ୟ ପାଇଁ ଅଣସର ଘରେ ଗୁପ୍ତ ସେବା କରାଯିବ, ବୈଦ୍ୟମାନେ ଚିକିତ୍ସା କରିବେ । ଗତକାଲି ଦୀର୍ଘ ଦୁଇ ବର୍ଷ ପରେ ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଥିଲେ ଜଗତର ନାଥ । କୋଭିଡ ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ୧୦୮ଗରା ସୁବାସିତ ଜଳରେ କାଳିଆ ଠାକୁରଙ୍କ ଜଳାଭିଷେକ ହୋଇଥିଲା । ଏହାପରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳା ଦେଖିବା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୋଇଥିଲା ।

Advertisment

ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ଚତୁର୍ଦ୍ଧା ମୂର୍ତ୍ତି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ବୁଧବାରଠାରୁ ପଟିଦିଅଁ ପୂଜା ପାଇବେ। ଏଥିପାଇଁ ବୁଧବାର ବଡ଼ି ଭୋରରୁ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିବେ। ଅନ୍ୟପଟେ ଆଜି ବାହୁଡ଼ା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଦଇତାପତି ସେବକମାନେ ଭଣ୍ଡାର ମେକାପଙ୍କ ଜିମା ଦେଇଛନ୍ତି। ପରେ ଅଣସର ତାଟି ବନ୍ଧା ଯାଇଛି।ଶ୍ରୀଜିଉଙ୍କ ଅଣସର ନୀତି ୧୪ ଦିନ ଧରି ଚାଲିବ। ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ।

ଅନ୍ୟପଟେ ଆଜିଠାରୁ ଗୁପ୍ତ ନୀତି ଆରମ୍ଭ ହେବ। ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟିବା ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଅଣସରର ଗୁପ୍ତନୀତି ପାଇଁ ପ୍ରତିଦିନ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଅଣସରର ଗୁପ୍ତ ନୀତି ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରାରେ ବାହାରକୁ ବାହାରିବେ। ଏହି ୧୪ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଛପନ ପଉଟି ଭୋଗ ଲାଗି ହେବ। ଏହି ସମୟରେ ମହାପ୍ରଭୁଙ୍କଠାରେ ଫଳ ଆଦି ଲାଗି ହେବ। ଘନ ଅନ୍ଧକାର ଭିତରେ ଏହି ଭୋଗ ଲାଗି ସହ ଗୁପ୍ତ ସେବା ଅନୁଷ୍ଠିତ ହେବ।