ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ଆଜିିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାଳିଆ ଦର୍ଶନ ମନା , କିନ୍ତୁ ଜାରି ରହିବ ଠାକୁରଙ୍କ ନୀତିକାନ୍ତି

344

କନକ ବ୍ୟୁରୋ : ଆଜି ଠାରୁ କାଳିଆ ଦର୍ଶନ ବନ୍ଦ । ଏପ୍ରିଲ ପହିଲା ପର୍ଯ୍ୟନ୍ତ ‘କରୋନା’ କଟକଣା । କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ଉଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ । ନିଷ୍ପତି ଅନୁସାରେ ମାର୍ଚ୍ଚ ୩୧ ଯାଏଁ ଦର୍ଶନ ବନ୍ଦ ରହିବ । ସାଧାରଣ ଦର୍ଶନ ବନ୍ଦ ରହିବ ହେଲେ ପୂର୍ବଭଳି ଶ୍ରୀମନ୍ଦିରରେ ନୀତିକାନ୍ତି ଜାରି ରହିବ । ଇତିହାସରେ ଏଭଳି ପ୍ରାୟ ହୋଇନାହିଁ, ଯେଉଁଠି ଶ୍ରୀମନ୍ଦିରରେ ଶ୍ରୀଜୀଉ ବିଜେ କରୁଥିବେ, ବିଧି ମୁତାବକ ନୀତିକାନ୍ତି ଚାଲିଥିବ, ମାତ୍ର ଭଗବାନଙ୍କ ଠାରୁ ଦୂରେଇ ରହିଥିବେ ଭକ୍ତ ।

ପ୍ରତିଦିନ ଶ୍ରୀଜୀଉଙ୍କ ଦର୍ଶନ ଲାଗି ହଜାର ହଜାର ଶ୍ରଦ୍ଧାଳୁ ପୁରୀକୁ ଯାଇଥାନ୍ତି । ଜଗନ୍ନାଥଙ୍କ ସହ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଯୋଡି ହୋଇ ରହିଛି । ତେବେ କରୋନା ସଂକ୍ରମଣ ଯେପରି ସାରା ବିଶ୍ୱରେ ମାଡ଼ିଚାଲିଛି, ସେଥିପାଇଁ ସତର୍କତା ଅବଲମ୍ବନ କରିଛି ପ୍ରଶାସନ । ଏଭଳି ଏକ ସଂକଟ ସ୍ଥିତିରେ ଦର୍ଶନ ବନ୍ଦ କରିବା ପାଇଁ ସହମତି ଜଣାଇଛନ୍ତି ସେବାୟତ । କେବଳ ପୁରୀ ଜଗନ୍ନାଥ ମନ୍ଦିର ନୁହେଁ, ରାଜ୍ୟର ସମସ୍ତ ଧର୍ମସ୍ଥଳଗୁଡିକରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଚାଲିଛି । ସଂକ୍ରମଣକୁ ରୋକିବା ପାଇଁ ସଜାଗ ହୋଇ ଉଠିଛନ୍ତି ସରକାର ।