ଅନେକ ଦିନ ପରେ ଆଜିଠୁ ଖୋଲିବ ବିଶ୍ୱବିଦ୍ୟାଳୟ । ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହେବ କାର୍ଯ୍ୟ, କରୋନା ନିୟମ ମାନିବାକୁ କଡା ନିର୍ଦ୍ଦେଶ

333

କନକ ବ୍ୟୁରୋ : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ମେ’ ୭ ତଥା ଗୁରୁବାରଠାରୁ ଖୋଲିବା ନେଇ  କୁଳପତି ସମ୍ମିଳନୀରେ ଆଲୋଚନା ହୋଇଥିଲା। ତେବେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗତ ୨ ତାରିଖରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମା ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡ଼ିକ କେତେକ କଟକଣା ମଧ୍ୟରେ ଖୋଲିବ।

ସଚିବ ଶ୍ରୀ ମିଶ୍ର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଖୋଲିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଥିଓରି ଓ ପ୍ରାକ୍ଟିକାଲ କ୍ଲାସ ସିଧାସଳଖ ହେବନି। ବରଂ ଅନଲାଇନ୍‌ରେ କରାଯିବ। ଏବେ କୌଣସି ପରୀକ୍ଷା ହେବ ନାହିଁ। ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀ କିମ୍ବା ଅଭିଭାବକ କ୍ୟାମ୍ପସକୁ ଆସିପାରିବେ ନାହିଁ। ବିଶ୍ବବିଦ୍ୟାଳୟରେ କୌଣସି ପ୍ରକାର ସମ୍ମିଳନୀ, ସାକ୍ଷାତକାର ପରୀକ୍ଷା, ଫିଲ୍ଡୱାର୍କ/ଭ୍ରମଣ/ଟ୍ରିପ୍‌, ଆଲୋଚନାଚକ୍ର, କର୍ମଶାଳା ଆଦି କାର୍ଯ୍ୟକ୍ରମ ହେବନି। ଆବଶ୍ୟକ ସ୍ଥଳେ ଏହା ଅନଲାଇନରେ କରାଯାଇପାରିବ। ଅନ୍‌ଲାଇନରେ ପିଏଚଡି ଛାତ୍ରଛାତ୍ରୀଙ୍କ ମୌଖିକ ସାକ୍ଷାତ କରାଯିବ। ପିଏଚ୍‌ଡି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପ୍ରି-ସମିସନ୍‌ ଦାଖଲ କରିପାରିବେ।

୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଚାଲିବ। ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇବ ତାହାର ଏକ ନିର୍ଦେଶାନାମା ସ୍ଥାନୀୟ ପୁଲିସ ଓ ପ୍ରଶାସନକୁ ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ଚଳପ୍ରଚଳ ଲାଗି ଅନୁମତି ମିଳିବା ଦରକାର। ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ବୁଲିବା ସମୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶନାମା, ବିଶ୍ବବିଦ୍ୟାଳୟ ନିର୍ଦେଶନାମା ଓ ନିଜର ପରିଚୟପତ୍ର ସାଙ୍ଗରେ ନେବାକୁ ପଡ଼ିବ। ବିଶ୍ବବିଦ୍ୟାଳୟ ଖୋଲିବା ପରେ ସାମାଜିକ ଦୂରତ୍ବ ରକ୍ଷା, ହାତ ଧୋଇବା, ସାନିଟାଇଜେସନ, ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିବା, ବାୟୋମେଟ୍ରିକ ଉପସ୍ଥାନ ନ କରିବାକୁ କୁହାଯାଇଛି।

ମାର୍ଚ୍ଚ ୨୩ରୁ ଜୁନ୍‌ ୧୬ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ବନ୍ଦ ରହିବା ଦ୍ବାରା ପାଖାପାଖି ୪୦ ଦିନର କାର୍ଯ୍ୟ ଦିବସ ବାଧାପ୍ରାପ୍ତ ହେଉଛି। ତେଣୁ ଜୁନ୍‌ ୧୭ରେ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। କାରଣ ବିଶ୍ବବିଦ୍ୟାଳୟ ଖୋଲିବା ମତ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଅନ୍‌ଲାଇନ୍‌ରେ ପାଠ୍ୟକ୍ରମ ଶେଷ କରିବା, ପରୀକ୍ଷା ପାଇଁ ପ୍ରସ୍ତୁତି, ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଶୋଧନ କରିବା, ହଷ୍ଟେଲଗୁଡ଼ିକ ଖୋଲିବା ପୂର୍ବରୁ ସାମାଜିକ ଦୂରତ୍ବ ରକ୍ଷାକୁ କୁହାଯାଇଛି। ଏଥିସହ ଗ୍ରୀଷ୍ମ ଛୁଟିରେ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନ୍‌-ଟିଚିଂ କର୍ମଚାରୀମାନେ ହେଡ୍‌ କ୍ବାଟର ଛାଡ଼ି ନ ଯିବାକୁ ନିର୍ଦେଶ ଦିଆଯାଇଛି। ଫୋନ୍‌ କରିବା ମାତ୍ରେ କାର୍ଯ୍ୟାଳୟରେ ପହଞ୍ଚିବେ। ନ ହେଲେ ବେଆଇନ ଭାବେ ଅନୁପସ୍ଥିତ ରହିଛନ୍ତି ବୋଲି ଧରି ନିଆଯିବ।