ସାବଧାନ ଗାଡ଼ି ଚାଳକ । ୧୦ ଗୁଣା ବଢ଼ିଲା ଜୋରିମାନା , ଟ୍ରାଫିକ ନିୟମ ଭାଙ୍ଗିଲେ ୧୦ ହଜାର ପର୍ଯ୍ୟନ୍ତ ଫାଇନ୍ 

564

କନକ ବ୍ୟୁରୋ :ରାସ୍ତାରେ ଗାଡି ଚଲାଇବା ବେଳେ ସାବଧାନ ହୋଇଯାଆନ୍ତୁ । କାରଣ ଆଜି ଠାରୁ ରାଜ୍ୟରେ ଲାଗୁ ହେଉଛି ନୂଆ ଟ୍ରାଫିକ୍ ନିୟମ । ଯାହାକୁ ଭାଙ୍ଗିଲେ ଆପଣ ଜରିମାନା ଗଣିବା ନିଶ୍ଚିତ । କେନ୍ଦ୍ର ସରକାର ମୋଟର ଯାନ ଆଇନରେ ୧୯୮୮ର ସଂଶୋଧନ କରିଛନ୍ତି, ଯାହା ଆଜିଠାରୁ ଆମ ରାଜ୍ୟରେ ଲାଗୁ ହେବ । ନୂଆ ଆଇନ ଟ୍ରାଫିକ ନିୟମ ଭାଙ୍ଗିଲେ ୧୦ ଗୁଣ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଏପରିକି ୧୦ଟି କ୍ଷେତ୍ରରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଆପଣଙ୍କୁ ଜେଲ ଦଣ୍ଡ  ମଧ୍ୟ ହୋଇପାରେ । ଲାଇସେନ୍ସ ନଥିଲେ, ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଫାଇନ ଦେବାକୁ ପଡିବ ।

ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୩ଶହ, ତୃତୀୟ ଥର ଧରାପଡିଲେ ୫ ଶହ ଏବଂ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ । ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବେ ଉଲ୍ଲଂଘନକାରୀ । ଦ୍ରୁତଗତିରେ ଗାଡି ଚାଳନା ପାଇଁ ୪ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବେ ଟ୍ରାଫିକ ବିଭାଗର କର୍ମଚାରୀ । ମୋବାଇଲରେ କଥା ହୋଇ ଗାଡି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ । କାରର ସିଟ୍ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡିବ ।

ଗୋଟିଏ ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ୧ ହଜାର ଟଙ୍କା , ଗାଡି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଏହାଛଡା ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିକୁ ବାଟ ନଛାଡିଲେ ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା ନୂଆ ଆଇନରେ ରହିଛି । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁୁ ସହାୟତା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ନୂଆ ଆଇନରେ କେତେକ ସଂଶୋଧନ କରାଯାଇଛି ।