କନକ ବ୍ୟୁରୋ : ରବିବାରଠୁ ଆରମ୍ଭ ହେଉଛି ମାଓବାଦୀଙ୍କ ସହିଦ୍ ସପ୍ତାହ। ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ଜୁଲାଇ ୨୮ତାରିଖରୁ ବିଭିନ୍ନ ମାଓ ସଙ୍ଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ। ଏହି ସପ୍ତାହ ପାଳନ ଅବସରରେ ମାଓବାଦୀମାନେ ବିଭିନ୍ନ ପ୍ରକାର ଅଘଟଣ ଘଟାଇଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ମାଓ ଅଧ୍ୟୁଷିତ ଇଲାକାରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମା ସିଲ୍ ସହ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। ମାଓ ମୁକାବିଲା ପାଇଁ ଜିଲ୍ଲାରେ ମୁତୟନ ସିଆରପିଏଫ୍, ବିଏସଏଫ୍ ଯବାନଙ୍କ ସମେତ ଏସଓଜି, ଡିଭିଏଫ୍ ଯବାନ କମ୍ବିଂରେ ମୁତୟନ ହୋଇଛନ୍ତି। ଏହାଛଡ଼ା ଏହି ଇଲାକା ଅନ୍ତର୍ଗତ ୨୯ଟି ରୁଟରେ ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଛି।
Advertisment
publive-imageନିକଟରେ ମାଓବାଦୀ ରାୟଗଡା ସୀମାନ୍ତ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କୁ ହତ୍ୟା କରିଥିବାରୁ ପୁଲିସ୍ ସଜାଗ ରହିବା ସହ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିଛି। ତେବେ ମାଓବାଦୀଙ୍କ ସହିଦ୍ ସପ୍ତାହ ପାଇଁ ଜୟପୁର, ରାୟଗଡ଼ା, ବ୍ରହ୍ମପୁର, ଭଂଜନଗର ଓଡ଼ିଶା ରାଜ୍ୟ ପରିବହନ ନିଗମ ଅଧୀନରେ ଥିବା ୨୯ଟି ରୁଟରେ ବସ୍ ଚଳାଚଳ ବନ୍ଦ ରହିଛି। ବ୍ରହ୍ମପୁରରୁ ବାଲିମେଳା, ବ୍ରହ୍ମପୁରରୁ ଉମରକୋଟ, ବ୍ରହ୍ମପୁରରୁ ରାୟଗଡ଼ା ଓ ବ୍ରହ୍ମପୁରରୁ ଭବାନୀପାଟଣାକୁ ଯାଉଥିବା ବସ୍ଗୁଡ଼ିକ ବନ୍ଦ ଥିବାବେଳେ ଭଞ୍ଜନଗରରୁ ମାଲକାନଗିରି ଯାଉଥିବା ୨ଟି ବସ୍, ଭଞ୍ଜନଗରରୁ ସୁନାବେଡ଼ା, ଭଞ୍ଜନଗରରୁ ଇନ୍ଦ୍ରାବତୀ ଯାଉଥିବା ଗୋଟିଏ ଲେଖାଏଁ ବସ୍ ବନ୍ଦ ରହିବ। ଆସନ୍ତା ଅଗଷ୍ଟ ୪ତାରିଖରେ ବସ୍ ଚାଳଚଳ ସ୍ବାଭାବିକ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ରୁଟରେ ଚଳାଚଳ କରୁଥିବା ବେସରକାରୀ ବସ୍ ଆନ୍ଧ୍ର ରୁଟ ଦେଇ ଯାତାୟାତ କରିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି।
ରାୟଗଡ଼ାରେ ମାଓବାଦୀଙ୍କ ସ୍ଥିତି ପ୍ରଭାବହୀନ ସତ୍ତ୍ବେ ସଜାଗ ରହିଛି ପୁଲିସ୍। ପଡ଼ୋଶୀ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଆନ୍ଧ୍ରରେ ମାଓବାଦୀଙ୍କ ଗତିବିଧି ଥିବାରୁ ଯେ କୌଣସି ମୁହୂର୍ତରେ ଆତ୍ମଗୋପନ ପାଇଁ ରାୟଗଡ଼ାକୁ ପଶି ଆସି ପାରନ୍ତି ମାଓବାଦୀ। ଗୁଇନ୍ଦା ବିଭାଗର ଏହି ସୂଚନା ପରେ ପୁଲିସ୍, ସିଆରପିଏଫ୍, ବିଏସଏଫ୍ ଯବାନ କମ୍ବିଂ ଅପରେସନକୁ ଜୋରଦାର୍ କରିଛନ୍ତି। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ଗାଁ ଓ ନିକଟସ୍ଥ ଜଙ୍ଗଲ ଉପରେ ସୁରକ୍ଷା ବାହିନୀ କଡ଼ା ନଜର ରଖିବା ସହିତ ଗୁଇନ୍ଦା ସୂଚନାକୁ ଭିତ୍ତି କରି ସର୍ଚ ଅପରେସନ୍ ଜାରି ରଖିଛି। ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ନାକାବନ୍ଦୀ କରି ସୁରକ୍ଷା ବାହିନୀ ଯାତାୟତ କରୁଥିବା ଗାଡ଼ିଗୁଡ଼ିକୁ ଖାନତଲାସି କରିବା ପରେ ଛାଡ଼ୁଛି। ସେହିପରି ସିଆରପିଏଫ୍ ଓ ବିଏସ୍ଏଫ୍ କ୍ୟାମ୍ପ ସମ୍ମୁଖରେ ନାକାବନ୍ଦୀ କରିଛନ୍ତି ଯବାନ।