ସିଲ ହେଲା ରାଜ୍ୟ ଓ ଜିଲ୍ଲା ସୀମା । ଆଜିଠୁ ଆହୁରି କଡାକଡି ହେବ ଲକଡାଉନ, ଲୋକଙ୍କ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

4,256

କନକ ବ୍ୟୁରୋ : ଅନ୍ୟରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନେ ନିଜ ଘରକୁ ଫେରିବା ଲାଗି ଦିଲ୍ଲୀରେ ଅସମ୍ଭବ ଭିଡ଼ ଲଗାଇବା ଓ ମାତ୍ର ୨୪ ଘଣ୍ଟା ଭିତରେ ବିଭିନ୍ନ ରାଜ୍ୟରେ ୬ ଜଣଙ୍କର କରୋନା ଜନିତ ମୃତ୍ୟୁକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି କେନ୍ଦ୍ର ସରକାର। ଏଭଳି ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାର ଲକ୍ ଡାଉନ୍‌କୁ ଆହୁରି କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ସଚିବ ମୁଖ୍ୟଶାସନ ସଚିବମାନଙ୍କ ସହିତ ଭିଡିଓ କନଫରେନ୍ସିଂ କରି ଭୀଷଣ ଅସନ୍ତୋଷ ପ୍ରକାଶ କରିବା ସହିତ କୌଣସି ବି ପରିସ୍ଥିତିରେ ଲକଡାଉନ୍ ନିୟମ ଯେଭଳି ଉଲ୍ଲଂଘନ ନହୁଏ, ତାକୁ ସୁନିଶ୍ଚିତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ନିଜ ରାଜ୍ୟକୁ ଫେରିଆସୁଥିବା ହଜାର ହଜାର ଶ୍ରମିକଙ୍କ ଯୋଗୁଁ କରୋନା ଭୀଷଣ ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଣୁ ତୁରନ୍ତ ରାଜ୍ୟ ଓ ଜିଲ୍ଲା ସୀମା ସିଲ୍ କରିବା ଲାଗି ମୁଖ୍ୟ ସଚିବମାନଙ୍କୁ କ୍ୟାବିନେଟ୍ ସଚିବ ନିର୍ଦେଶ ଦେଇଛନ୍ତି।

ଏପଟେ କେନ୍ଦ୍ର ସରକାରଙ୍କ ନିର୍ଦେଶ ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଓଡ଼ିଶାର ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ତୁରନ୍ତ ଜିଲ୍ଲାପାଳମାନଙ୍କର ଏକ ଭିଡିଓ କନଫରେନ୍ସିଂ କରି ଲକଡାଉନ୍‌ କଡ଼ାକଡ଼ି କରିବା ଲାଗି ସ୍ପଷ୍ଟ କରିବା ସହିତ ସୀମା ସିଲ୍ କରିଦେବା ଲାଗି ନିର୍ଦେଶ ଦେଇଛନ୍ତି। ଯେଉଁମାନେ ନ ମାନୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। ଏଥିସହିତ ଦୁଇଟି ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଖ୍ୟସଚିବ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଥିବା ଅତିବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

ବିଭିନ୍ନ ଜିଲ୍ଲାରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଉଛନ୍ତି କି ନାହିଁ, ଏସବୁ ଉପରେ ଜିଲ୍ଲାପାଳମାନଙ୍କର ମତାମତ ମୁଖ୍ୟସଚିବ ଲୋଡିବା ସହିତ ସ୍ଥିତି ସମୀକ୍ଷା କରିଥିଲେ। ପ୍ରତ୍ୟହ ଜିଲ୍ଲାର ଏ ସଂପର୍କିତ ସ୍ଥିତି ସମୀକ୍ଷା କରିବା ଲାଗି ଶ୍ରୀ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟସଚିବ ସ୍ପଷ୍ଟ ଭାବେ ଜଣାଇଥିଲେ ଯେ, ଅନ୍ୟ ରାଜ୍ୟରୁ ଆସି କାମ କରୁଥିବା ଶ୍ରମିକମାନେ ଇଞ୍ଚେ ବି ଆଉ ଘୁଞ୍ଚିପାରିବେ ନାହିଁ। ସେମାନଙ୍କ ପାଇଁ ତୁରନ୍ତ ସହାୟତା କେନ୍ଦ୍ର ଖୋଲିବା ସହିତ ଖାଦ୍ୟ, ଔଷଧ ଆଦି ଯୋଗାଇ ଦିଆଯିବା ବ୍ୟବସ୍ଥାକୁ ନିଶ୍ଚିତ କର। ପ୍ରାୟ ୧୫ ହଜାର ୬୦ ଲୋକଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳମାନଙ୍କ ସମୀକ୍ଷାରୁ ଜଣାପଡିଥିଲା। ବାହାର ରାଜ୍ୟରୁ ଆସିଥିବା କୌଣସି ଶ୍ରମିକ ଜିଲ୍ଲା ସୀମା ଡେଇଁ ଯାନ୍ତି, ତେବେ ଜିଲ୍ଲାପାଳ ଓ ଏସପିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ ଉଭୟ କ୍ୟାବିନେଟ ସଚିବ ଏବଂ ଗୃହ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ରଖିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଅବ୍ୟାହତ ରହିଥିବା ବେଳେ ଅହୋରାତ୍ର ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛନ୍ତି।

ତେବେ ରାଜ୍ୟର କେତେକ ଅଞ୍ଚଳରେ ରାଜ୍ୟ ବାହାରୁ କାମ କରିବାକୁ ଆସିଥିବା ଶ୍ରମିକମାନେ ନିଜ ରାଜ୍ୟକୁ ଫେରି ଆସୁଥିବା ଲକ୍ଷ୍ୟ କରାଯାଉଛି। ଏହା ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ବିଭିନ୍ନ ଜିଲ୍ଲା ଓ ରାଜ୍ୟର ସୀମାଗୁଡିକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେପରି ସହର ଓ ରାଜରାସ୍ତାରେ ଲୋକମାନଙ୍କ ଚଳପ୍ରଚଳ ନ ହୁଏ, ତାହାକୁ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ଲୋକମାନେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଅନୁମତି ପାଇପାରିବେ। ଡିଏମ ଆକ୍ଟ ଅନୁସାରେ ଜିଲ୍ଲାପାଳ ଓ ଏସପି ମାନେ ଏହିସବୁ ନିର୍ଦ୍ଦେଶାବଳୀକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି।

କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ଲକ୍‌ଡାଉନ କାଳରେ କୌଣସି କାଣ୍ଟଛାଣ୍ଟ ନକରି ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ ହେବ। ଏହି ସମୟରେ ସେମାନଙ୍କ ଠାରୁ ଘର ଭଡା ଦାବି ନକରିବାକୁ ମଧ୍ୟ ତାଗିଦ୍ କରାଯାଇଛି। ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କୁ ଘର ଖାଲି କରିବାକୁ କହୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି।

ଏହିସବୁ ନିୟମାବଳୀର ଉଲଘଂନ କରି ଯେଉଁମାନେ ବାହାରକୁ ଯିବା ପାଇଁ ବାହାରିଛନ୍ତି, ସେମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାର ୧୪ ଦିନ ପାଇଁ କ୍ବାରାଣ୍ଟିନ୍ ବା ସଙ୍ଗରୋଧରେ ରଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ୩ ସପ୍ତାହ ପାଇଁ ଏଭଳି କଟକଣା କଡାକଡି ଭାବେ ଲାଗୁ କରିବାକୁ ସ୍ପଷ୍ଟ କରିଦିଆଯାଇଛି।