କନକ ବ୍ୟୁରୋ : ମାର୍ଚ୍ଚ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେନାହିଁ। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ନେଇ ଆତଙ୍କ ଦେଖା ଦେଇଥିବାବେଳେ ମାର୍ଚ୍ଚ ୧୮ ତାରିଖରୁ କୋର୍ଟ କାର୍ଯ୍ୟରେ ଯୋଗ ଦେବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଆଇନଜୀବୀମାନେ ସର୍ବସମ୍ମତିକ୍ରମେ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। କରୋନକୁ ନେଇ ଦେଖା ଦେଇଥିବା ଜରୁରି ପରିସ୍ଥିତି ସଂପର୍କରେ ଆଲୋଚନା ପାଇଁ ବହୁ ସଦସ୍ୟ ଦାବି କରିବା ପରେ ଉପସଭାପତି ପୀୟୂଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକ ବସିଥିଲା। ବୈଠକରେ କରୋନା ପାଇଁ ରହିଥିବା ପ୍ରତିଷେଧକ ବ୍ୟବସ୍ଥା ସହିତ ଆଇନଜୀବୀ, ମହକିଲ, ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରସଂଗରେ ଆଲୋଚନା କରାଯାଇ ମାର୍ଚ୍ଚ ୧୮ରୁ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
କରୋନାକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟରେ ଆଇନଜୀବୀମାନେ ଯୋଗ ଦେଇ ପାରିବେନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ସହିତ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିରେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଭିଡ ନ କରିବା ତଥା କୌଣସି ସ୍ଥାନରେ ସମ୍ମିଳିତ ନ ହେବା ପାଇଁ ସତର୍କତାମୂଳକ ପରାମର୍ଶ ପ୍ରଦାନ କରାଯାଇଛି। କିନ୍ତୁ କୋର୍ଟ କାର୍ଯ୍ୟ ଚାଲୁଥିବା ପରିସ୍ଥିତିରେ ହାଇକୋର୍ଟ ବାର୍ ଆସୋସିଏସନ୍ ତଥା କୋର୍ଟରୁମ୍ ଭିତରେ ଓ ବାହାରେ ଭିଡ଼ ରହୁଛି। ଏହା ଆଇନଜୀବୀ ଓ ସାଧାରଣ ମହକିଲଙ୍କ ପାଇଁ ବିପଦପୂର୍ଣ୍ଣ। ସାଧାରଣ ଜନତା ତଥା ଆଇନଜୀବୀଙ୍କ ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଇନଜୀବୀମାନେ ବୁଧବାର ଠାରୁ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବେଲି ଗ୍ରହଣ କରାଯାଇଥିବା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ଆସୋସିଏସନର ଏଭଳି ନିଷ୍ପତ୍ତି ସଂପର୍କରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ଅନ୍ୟ ସମସ୍ତ ବିଚାରପତିଙ୍କୁ ଅବଗତ କରାଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ, କରୋନାକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ମାର୍ଚ୍ଚ ୧୭ ତାରିଖରୁ କେବଳ ଜରୁରି ମାମଲା ଗୁଡିକର ଶୁଣାଣି କରାଯିବ ବୋଲି ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟରେ ପକ୍ଷଙ୍କ ବ୍ୟକ୍ତିଗତ ହାଜିରା ଯଦି ଅନିବାର୍ୟ୍ୟ ନଥିବ ତେବେ ଏଥି ପାଇଁ ବାଧ୍ୟ କରାଯିବ ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ଯଦି କୌଣସି କୌଣସି ଆଇନଜୀବୀ କିମ୍ବା ମହକିଲ ଅନୁପସ୍ଥିତ ରହନ୍ତି ତେବେ ତାଙ୍କ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏହି ସମୟରେ ପରିଦର୍ଶକ ପାସ୍ ଜାରି ପାଇଁ କୌଣସି ପ୍ରକାର ଅନୁମୋଦନ ନ କରିବାକୁ ଆଇନଜୀବୀମାନଙ୍କୁ ଅନୁରୋଧ କରାଯାଇଥିଲା।