ସାମାଜିକ ଦୂରତା ନରଖିଲେ ଆଜିଠୁ ଗଣିବାକୁ ପଡିବ ୫୦୦ ଟଙ୍କା ଫାଇନ । ଜାଣନ୍ତୁ କେମିତି ଗାଇଡଲାଇନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ

229

କନକ ବ୍ୟୁରୋ : ସାମାଜିକ ଦୂରତା ରକ୍ଷା ନକଲେ ଗଣିବାକୁ ପଡିବ ୫ଶହ ଟଙ୍କା ଜରିମାନା । ଭୁବନେଶ୍ୱର ଓ କଟକ ଅଂଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ ଜାରି କରିଛି କମିଶନରେଟ ପୁଲିସ । ଏହି ଅଧିନିୟମ ମେ ୧ ଅର୍ଥାତ ଆଜିଠାରୁ ଲାଗୁ ହେବ । ସାମାଜିକ ବ୍ୟବଧାନ କହିଲେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୨ ମିଟର ବା ୬ ଫୁଟ ରହିବ । ସବୁ ଦୋକାନ ମାଲିକ ନିଜ ଦୋକାନ ପରିସରରେ ସାମାଜିକ ଦୂରତା ରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ । ବିଏମସି ଓ ସିଏମସିର ଅନୁମତି ପାଇନଥିଲେ ଦୁଇ ମହାନଗର ନିଗମ ଅଂଚଳରେ ଦୋକାନ ଖୋଲି ପାରିବେ ନାହିଁ । ଏହାଛଡା ଦୋକାନ ଖୋଲିବା ପାଇଁ ଦିଆଯାଇଥିବା ସମୟ ନିର୍ଘଂଟକୁ କଡାକଡି ଭାବେ ପାଳନ କରିବେ । ସେହିପରି ଗ୍ରାହକମାନେ ମଧ୍ୟ କିଣାକିଣି କଲାବେଳେ ସାମାଜିକ ଦୂରତା ରକ୍ଷା ଓ ଶୃଙ୍ଖଳିତ ଆଚରଣ କରିବେ ।

କେହି ସାମାଜିକ ଦୂରତା ନମାନିଲେ ତୁରନ୍ତ ପୁଲିସକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଲିସକୁ ନଜଣାଇଲେ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲକଙ୍କୁ ସମାନ ଭାବେ ଦାୟୀ କରାଯିବ । ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନେ ସର୍ବଦା ମାସ୍କ ପିନ୍ଧିବେ । ମୁଖା ପିନ୍ଧିନଥିବା ଗ୍ରାହକଙ୍କୁ ଦୋକାନରେ ପଶିବାକୁ ଦିଆଯିବ ନାହିଁ ଓ ଦୋକାନରେ ଥିବା ବେଳେ ଗ୍ରାହକମାନେ କୌଣସି ସମୟରେ ମୁଖା ଖୋଲିବେ ନାହିଁ । ପ୍ରତ୍ୟେକ ଦୋକନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ହାତ ଧୋଇବା ପାଇଁ ସାନିଟାଇଜର ବ୍ୟବସ୍ଥା କରିବେ । କୌଣସି ବ୍ୟକ୍ତି ବଜାର ଅଂଚଳକୁ ଗୁଟଖା, ଦୋକତା, ପାନ ପାଟିରେ ରଖି ଯିବେ ନାହିଁ ଓ ବାହାରେ ଛେପ ପକାଇ ପାରିବେ ନାହିଁ । ଏସବୁ ଆଇନ ମେ ମାସ ୧ ତାରିଖରୁ ଭୁବନେଶ୍ୱର ଓ କଟକରେ ଲାଗୁ ହେବ । ଆଉ ଏହି ନିୟକୁ ଯିଏ ଉଲ୍ଲଂଘନ କରିବ ଓଡିଶା ସହରାଂଚଳ ଆଇନର ଧାରା ୯୬-ଡି ଅନୁସାରେ ୫ ଶହ ଟଙ୍କାର ଜରିମାନା ଗଣିବେ ।