ଆଜିଠୁ ନୂଆ ନିୟମ, ରାଜ୍ୟର ଯେକୌଣସି ସ୍ଥାନରୁ ଉଠାଇ ହେବ ରାସନ । ଭୁବନେଶ୍ୱରରେ ପାଇଲଟ୍ ପ୍ରୋଜେକ୍ଟ : ସେପଟେ ବଢିଲା ରାସନ କାର୍ଡ ସହ ଆଧାର କାର୍ଡର ଲିଙ୍କ ଅବଧି

507

କନକ ବ୍ୟୁରୋ: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନିୟମ ଅନୁଯାୟୀ, ଆପଣଙ୍କ ପାଖରେ ଯଦି ରାସନ କାର୍ଡ ଅଛି ତେବେ ଆପଣ ରାଜ୍ୟର ଯେକୌଣସି ସ୍ଥାନରୁ ରାସନ ଉଠାଇପାରିବେ । ରାଜ୍ୟର ଯେ କୌଣସି ସ୍ଥାନରେ ରାସନ କାର୍ଡ ଥିଲେ ମଧ୍ୟ ଆପଣ ରହୁଥିବା ଅଂଚଳରୁ ରାସନ ଉଠାଇପାରିବେ । ରାସନ କାର୍ଡ ଜରିଆରେ ଚାଉଳ, ଗହମ, କିରୋସିନ୍ ଭଳି ସାମଗ୍ରୀ ଉଠାଇହେବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ପ୍ରଥମେ ବିଏମ୍ସି ଲାଗୁ କରିବାକୁ ଯାଉଥିବା ରାସନକାର୍ଡ ପୋର୍ଟେବିଲିଟିରେ ରାସନ କାର୍ଡ ସହ ଆଧାର ଲିଙ୍କ ପ୍ରକ୍ରିୟାକୁ ଆଉ ୧୫ ଦିନ ବଢାଇଦେଇଛନ୍ତି ରାଜ୍ୟ ସରକାର ।

ରାସନ କାର୍ଡ ସହ ଆଧାର ଲିଙ୍କ ନେଇ ଗତକାଲି ଶେଷ ତାରିଖ ଥିଲା । ରାଜ୍ୟରେ ବର୍ତମାନ ସୁଧା ୯୭ ଦଶମିକ ୭ ପ୍ରତିଶତ ପରିବାରର ରାସନ କାର୍ଡ ସହ ଆଧାର ଲିଙ୍କ ହୋଇସାରିଛି । ତେବେ ପ୍ରାୟ ୨ ଲକ୍ଷ ପରିବାର ଏଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରିନଥିବା ଜଣାପଡିଛି । ଆପଣ ଯଦି ବର୍ତମାନ ସୁଦ୍ଧା ରାସନ କାର୍ଡ ସହ ଆଧାର ଲିଙ୍କ କରିନାହାଁନ୍ତି ତେବେ ଯଥାଶୀଘ୍ର କରାଇନିଅନ୍ତୁ । ନଚେତ୍ ଆପଣ ହିତାଧୀକାରୀ ତାଲିକାରୁ ବାଦ ପଡିବେ । କାରଣ , ୨୦୨୦ ଜୁଲାଇ ମାସରୁ ୱାନ ନେସନ୍ ୱାନ ରାସନକାର୍ଡ ବ୍ୟବସ୍ଥା ସାରା ଦେଶରେ ଲାଗୁ ହେବାକୁ ଯାଉଛି ।