କନକ ବ୍ୟୁରୋ : ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିଛି ହେଲେ ଟାର୍ଗେଟ ନାହିଁ । ତେଣୁ ମଣ୍ଡିରେ ପଡି ରହିଥିବା ଧାନ କେବେ ଉଠିବ ତାକୁ ଚାଷୀ ଅପେକ୍ଷା କରି ରହିଛନ୍ତି । କଳାହାଣ୍ଡିର କୋକସରା ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ହେଉଥିବା ବେଳେ କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । କୋକସରାରେ ନଭେମ୍ବର ୧୬ରୁ ଧାନ କିଣା ଆରମ୍ଭ ହୋଇଛି । ଧାନ ବିକିବା ପାଇଁ  ହଜାରେରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । କିନ୍ତୁ ପ୍ରତିଦିନ ମଣ୍ଡିରେ ୭ ଶହରୁ  ୮ ଶହ କ୍ୱିଂଟାଲ ଧାନ ଉଠାଯାଉଥିବାରୁ ଚାଷୀଙ୍କୁ ସପ୍ତାହେ ଲେଖା ଅପେକ୍ଷା କରିବାକୁ ପଡୁଛି ।

Advertisment

ସେହଭିଳି ବରଗଡ ପଦ୍ମପୁର ଉପଖଣ୍ଡରେ ବି ଚାଷୀଙ୍କ ଚିନ୍ତା ବଢାଇଛି ମଣ୍ଡି ସମସ୍ୟା । ପାଇକମାଳ ବ୍ଲକ ବୁକୁରାମୁଣ୍ଡା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପ୍ରାୟ ପଶିଚି ହଜାର ବସ୍ତା ଧାନ । ଚାଷୀ ଧାନ ବିକି ଦୁଇ ପଇସା ରୋଜଗାର କରିବା ଉଦେଶ୍ୟରେ ମଣ୍ଡିକୁ ଆଣିଛନ୍ତି । କିନ୍ତୁ ମିଲର ଓ ମଣ୍ଡି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମାସ ମାସ ଧରି ବିକ୍ରୀ ହୋଇପାରୁନାହିଁ, ମଣ୍ଡିରେ ପଡି ରହିଛି । ଟୋକନର ବୈଧତା ଗୋଟିଏ ମାସ ଥିବା ବେଳେ ମାସ ପୁରିଗଲେ ଧାନ ବିକ୍ରିରେ ସମସ୍ୟା ହେବ, ତେଣୁ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ଦଲାଲକୁ ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି ।

ଟୋକେନ ବଂଟାକୁ କେନ୍ଦ୍ର କରି କାଲିମେଳା ବ୍ଲକ ଏମଭି-୭୨ ଧାନ ମଣ୍ଡିରେ ଉତେଜନା । ଉତ୍ୟକ୍ତ ଚାଷୀ ଲ୍ୟାମ୍ପସ କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ଲ୍ୟାପଟପ ଛଡ଼଼ାଇ ନେଇଥିବାର ଅଭିଯୋଗ ହୋଇଛି । ନଭେମ୍ବର ୩୦ରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଡ଼ିସେମ୍ବର ୭ଯାଏଁ ଟୋକେନ ପାଇଥିବା ଚାଷୀ ଏଯାଏଁ ଧାନ ବିକି ପାରି ନାହାନ୍ତି । କିନ୍ତୁ ୧୪ରେ ଟୋକେନ ପାଇଥିବା ଚାଷୀଙ୍କୁ ଆଗ ଧାନ ବିକିବାକୁ ଅନୁମତି ମିଳିଥିଲା । ଯାହା ଅଶାନ୍ତିର ସୁତ୍ରପାତ କରିଥିଲା ।

ଏମଭି-୭୯ ପୁଲିସ ଓ କାଲିମେଳା ଯୋଗାଣ ଅଧିକାରୀ ଚାଷୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସୁଧୁରିଛି । ନାଲାଗୁଣ୍ଠି ଓ ଟିଗଲ ପଂଚାୟତର ୧୦୯୨ ଚାଷୀଙ୍କ ପାଇଁ ଏମଭି-୭୨ ଗାଁରେ ଗୋଟିଏ ମଣ୍ଡିର ବ୍ୟବସ୍ଥା ରହିଛି । ଯେପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ଟୋକେନ ଥିବ ସେପର୍ଯ୍ୟନ୍ତ ଧାନ କିଣାଯିବ ବୋଲି କହିଛନ୍ତି କାଲିମେଳା ଯୋଗାଣ ଅଧିକାରୀ ।