ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ଆରମ୍ଭରୁ ହଙ୍ଗାମା, କେନ୍ଦ୍ରକୁ ଘେରିଲା ‘ଇଣ୍ଡିଆ’ ମେଣ୍ଟ। ଗୌରବ ଗୋଗୋଇ କହିଲେ, ମୌନବ୍ରତ ରଖିଛନ୍ତି ମୋଦୀ

157

କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ଆରମ୍ଭରୁ ହଙ୍ଗାମା । କେନ୍ଦ୍ରକୁ ଘେରିଲା ‘ଇଣ୍ଡିଆ’ ମେଣ୍ଟ । କଂଗ୍ରେସକୁ ଟାର୍ଗେଟ୍ କଲେ ଗୃହମନ୍ତ୍ରୀ । ଲାଗୁ୍ଥିଲା, ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ କରିବେ ରାହୁଲ ଗାନ୍ଧୀ । ଲୋକସଭା ବାଚସ୍ପତିଙ୍କୁ ଏନେଇ ନୋଟିସ୍ ମଧ୍ୟ ଦିଆସରିଥିଲା । ହେଲେ, ଶେଷ ମୂହୁର୍ତରେ ବଦଳି ଯାଇଥିଲା ରଣନୀତି । ରାହୁଲଙ୍କ ବଦଳରେ ଗୌରବ ଗୋଗୋଇ ଯେତେବେଳେ ବିତର୍କ ଆରମ୍ଭ କରିିଥିଲେ, ଲୋକସଭାରେ ଆରମ୍ଭ ହୋଇଥିଲା ହଙ୍ଗାମା । ବିରୋଧୀଙ୍କୁ ଆକ୍ଷେପ ଆରମ୍ଭ କରିଦେଇଥିଲେ ଶାସକ ଦଳ ସଦସ୍ୟ । ଜବାବରେ ପାଲଟା ଆକ୍ରମଣ କରିଥିଲେ କଂଗ୍ରେସ ସାଂସଦ । ବାଚସ୍ପତିଙ୍କ ଚାମ୍ବରରେ କିମ୍ବା ସଂସଦୀୟ ଦଳ ବୈଠକରେ କ’ଣ ଚର୍ଚ୍ଚା ହୁଏ ଗୃହରେ କହିବି କି ବୋଲି ପ୍ରଶ୍ନ କରିଥିଲେ ଗୌରବ । ଏଥିରେ ଚେୟାରରୁ ଉଠି କଂଗ୍ରେସ ସଂସଦଙ୍କୁ ଘେରିଥିଲେ ।

କିଛି ସମୟରେ ଆରମ୍ଭ ହୋଇଥିଲା ଅନାସ୍ଥା ବିତର୍କ । ବିତର୍କ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ, କଂଗ୍ରେସ ସାଂସଦ । ମଣିପୁର ହିଂସାରୁ ଆରମ୍ଭ କରି ହରିଆଣା ହିଂସା, ପୁଲୱାମା ହମଲା ଓ ଚାଷୀ ଆନ୍ଦୋଳନ କଥା ଉଠାଇ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ କରିଥିଲେ ।

ପ୍ରଶ୍ନ-୧: ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରିନାହାଁନ୍ତି କାହିଁକି?
ପ୍ରଶ୍ନ-୨: ମଣିପୁର ପ୍ରସଙ୍ଗରେ ମତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ୮୦ ଦିନ ସମୟ ଲାଗିଲା?
ପ୍ରଶ୍ନ-୩: ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ବହିଷ୍କାର କରାଯାଇନାହିଁ?

କଂଗ୍ରେସ ଉଠାଇଥିବା ପ୍ରଶ୍ନର ବିଜେପି ଜବାବ୍ ରଖିବା ଥିବା ବେଳେ ସିଧାସଳଖ ରାହୁଲ୍ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛି । ଉଠିବାରେ ବିଳମ୍ବ ହୋଇଗଲା ବୋଲି ବୋଧେ ରାହୁଲ ଗାନ୍ଧୀ ବିତର୍କ ଆରମ୍ଭ କଲେ ନାହିଁ ବୋଲି କହିଛନ୍ତି ନିଶିକାନ୍ତ ଦୁବେ । ସୋନିଆ ଗାନ୍ଧୀ, ପୁଅ ରାହୁଲଙ୍କୁ ସେଟ୍ ଏବଂ ଜ୍ୱାଇଁ ରବର୍ଟଙ୍କୁ ଉପହାର ଦେବାକୁ ଚିନ୍ତିତ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ।

କୁହାଯାଉଛି, ଲୋକସଭାରେ ଆଜି ପ୍ରଧାନମନ୍ତ୍ରୀ ଉପସ୍ଥିତ ନଥିବାରୁ ନିଜର ପକ୍ଷ ରଖିନାହାନ୍ତି ରାହୁଲ । ମୋଦୀ, ଗୃହରେ ଉପସ୍ଥିତ ଥିବାବେଳେ ହିଁ ରାହୁଲ ଗାନ୍ଧୀ ନିଜର ପକ୍ଷ ରଖିବେ । ବଡ଼ କଥା ହେଉଛି- ଲୋକସଭାରେ ସରକାରଙ୍କ ସାଂସଦଙ୍କ ସଂଖ୍ୟା ବିରୋଧୀଙ୍କ ସଂଖ୍ୟା ତୁଳନାରେ ଢେର ଅଧିକ ରହିଛି । ଅନାସ୍ଥା ଭୋଟ୍ ପାଇଁ ସଂସଦରେ ଉଭୟ ନବୀନ ଓ ଜଗନଙ୍କ ଭଳି ବିପଦ ବେଳର ବନ୍ଧୁ ରହିଛନ୍ତି । ତେଣୁ ଏହି ଅନାସ୍ଥା ପ୍ରସ୍ତାବ ଆଣିବାର ପଛରେ ୨୦୨୪ ଲଢ଼େଇ ପୂର୍ବରୁ ମୋଦୀ ସରକାରଙ୍କୁ ଚାପରେ ରଖିବାକୁ ଏକ ପ୍ରୟାସ ବୋଲି କୁହାଯାଉଛି ।