ପୁଣି ରୂପ ବଦଳାଇଲା କୋଭିଡ ଭାଇରସ : ନୂଆ ଭାରିଆଂଟ ଠାବ ହୋଇଥିବା ବୈଜ୍ଞାନିକଙ୍କ ସୂଚନା; ନାଁ ରହିଛି ଡେଲଟା ପ୍ଲସ

3,650

କନକ ବ୍ୟୁରୋ : କରୋନା ଭୂତାଣୁ ବାରମ୍ବାର ରୂପ ବଦଳାଉଛି । ଏବେ ଏହି ଭୂତାଣୁର ଆଉ ଏକ ନୂଆ ଭାରିଆଂଟ ଠାବ କରିଛନ୍ତି ବୈଜ୍ଞାନିକ । ଯାହାର ନାଁ ଦିଆଯାଇଛି ଡେଲଟା ପ୍ଲସ ବା ଏୱାଇ-୧ । ବୈଜ୍ଞାନିକଙ୍କ ମତ ହେଉଛି ଏହି ଭାରିୟାଂଟ ଡେଲଟା ଭାରିଆଂଟ ମ୍ୟୁଟେସନରୁ ସୃଷ୍ଟି ହୋଇଛି । ଦ୍ୱିତୀୟ ଲହରରେ ଆତଙ୍କ ଖେଳାଇଥିଲା ଡେଲଟା ଭାରିଆଂଟ । ଦେଶରେ ଦ୍ରୁତ ଗତିରେ ମାଡି ଚାଲିବା ସହ ହଜାର ହାଜର ଲୋକଙ୍କ ଜୀବନ ନେଇଥିଲା ଭୂତାଣୁର ଡେଲଟା ଭାରିଆଂଟ ।

ଏବେ ପ୍ରଶ୍ନ ଉଠୁଛି କରୋନା ଭୂତାଣୁର ଏହି ନୂଆ ଭାରିଆଂଟ ଡେଲଟା ପ୍ଲସ, କଣ ଅଧିକ ସଂକ୍ରାମକ ହେବ କି ? ତେବେ ଡେଲଟା ପ୍ଲସ ଭାରିଆଂଟକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶେଷ ଚିନ୍ତିତ ନୁହଁନ୍ତି । ସେମାନଙ୍କ ମତରେ ଭାରତରେ ଏପର୍ଯ୍ୟନ୍ତ ଏହି ଭାରିଆଂଟକୁ ନେଇ ଚିନ୍ତା କରିବାର କାରଣ ନାହିଁ । କାରଣ ଦେଶରେ ଏହି ଭାରିଆଂଟର କମ୍ ମାମଲା ଆସିଛି । ଦିଲ୍ଲୀ ସ୍ଥିତ ସିଏସଆଇଆରର ଜିନୋମିକି ଓ ଆଇଜିଆଇବିର ବୈଜ୍ଞାନିକ ବିନୋଦ ସ୍କାରିଆ ଟୁଇଟ୍ କରି କହିଛନ୍ତି, କେ୪୧୭ଏନ ମ୍ୟୁଟେସନ ଯୋଗୁଁ ବି.୧୬୧୭.୭ ଭାରିଆଂଟ ସୃଷ୍ଟି ହୋଇଛି ।

ଏହି ଭାରିଆଂଟ ୟୁରୋପ , ଏସିଆ ଓ ଆମେରିକାରୁ ଆସିଛି । ରୋଗ ପ୍ରତିରୋଧକ କ୍ଷମତା ବିଶେଷଜ୍ଞ ବିନିତା ବଳଙ୍କ କହିବା ଅନୁସାରେ ଭାଇରସର ନୂଆ ରୂପ ଯୋଗୁ ଆଂଟିବଡି କକଟେଲର ପ୍ରୟୋଗକୁ ଝଟକା ଲାଗିଛି । ତେବେ ନୂୂଆ ଭାରିଆଂଟ ଅଧିକ ସଂକ୍ରାମକ ଓ ଆକ୍ରାନ୍ତଙ୍କୁ ଅଧିକ ଗୁରୁତର କରିବ ବୋଲି କୁହାଯାଇପାରିବ ନାହିଁ । ଏହା ଉପରେ ଅଧିକ ଅନୁସନ୍ଧାନ ହେବାର ଆବଶ୍ୟକତା ରହିଛି ।