ମାର୍ଚ୍ଚ ୩ରୁ ଆରମ୍ଭ ହେଉଛି ଯୁକ୍ତ୨ ପରୀକ୍ଷା । ସୁରକ୍ଷା ବ୍ୟବସ୍ଥା କଡାକଡି, କପି ରୋକିବା ଲାଗି ୧୧୪୩ଟି ପରୀକ୍ଷା କେନ୍ଦ୍ରକୁ ଜଗିବ ସିସିଟିଭି

ମାର୍ଚ୍ଚ ୩ରୁ ଆରମ୍ଭ ହେଉଛି ଯୁକ୍ତ୨ ପରୀକ୍ଷା । ସୁରକ୍ଷା ବ୍ୟବସ୍ଥା କଡାକଡି, କପି ରୋକିବା ଲାଗି ୧୧୪୩ଟି ପରୀକ୍ଷା କେନ୍ଦ୍ରକୁ ଜଗିବ ସିସିଟିଭି

କନକ ବ୍ୟୁରୋ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବ। ମାର୍ଚ୍ଚ ୩ରୁ ମାର୍ଚ୍ଚ ୨୮ତାରିଖ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ହେବାକୁ ଥିବାବେଳେ ଚଳିତବର୍ଷ ୩ଲକ୍ଷ ୫୦ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ୧୬୨୮ଟି ଜୁନିଅର କଲେଜ/ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଏଥିପାଇଁ ୧୧୪୩ଟି ପରୀକ୍ଷା କେନ୍ଦ୍ର ହୋଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଥର +୨ ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳାର ସହ ଏବଂ ବିବାଦଶୂନ୍ୟ ହେବ ସେନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ରେଗୁଲାର, ଏକ୍ସରେଗୁଲାର ଓ ଦୂର ଓ ନିରନ୍ତର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧୧୪୩ଟି ପରୀକ୍ଷା କେନ୍ଦ୍ରରେ ୩,୫୦,୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ପରୀକ୍ଷା ପରିଚାଳନାରେ ଯେପରି କୌଣସି ପ୍ରକାରର ବିଭ୍ରାଟ ହେବନି ସେଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ରେ ସିସିଟିଭି ଲାଗିଛି। ଏଥିରେ କଳାରେ ମୋଟ୍‌ ୨,୨୦,୪୩୭ଜଣ, ବିଜ୍ଞାନରେ ମୋଟ୍ ୯୭,୫୪୬ ଜଣ, ବାଣିଜ୍ୟରେ ମୋଟ୍‌ ୨୫,୭୮୫ ଜଣ, ଧନ୍ଦାମୂଳକ ଶିକ୍ଷାରେ ମୋଟ୍‌ ୭୦୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିରୁ ୩,୦୬,୨୨୭ଜଣ ରେଗୁଲାର, ୩୭,୧୮୬ଜଣ ଏକ୍ସରେଗୁଲାର ଏବଂ ଦୂରନିରନ୍ତରରେ ୭୩୮୭ଜଣ ଛାତ୍ରଛାତ୍ରୀ ଅଛନ୍ତି।

publive-image Dailyhunt

ସମସ୍ତ ପରୀକ୍ଷା ପରିଚାଳନା ହବ୍‌କୁ ପରିଷଦ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଥିଓରି ପେପର ପ୍ରଶ୍ନପତ୍ର ପଠାଯାଇଛି। ମାର୍ଚ୍ଚ ୧୧ରୁ ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ। ଯେଉଁଦିନ ଯେଉଁ ବିଷୟ ପରୀକ୍ଷା ଥିବ ସେଦିନ ପୂର୍ବାହ୍ନ ୯ଟା ୩୦ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏଥର ପରୀକ୍ଷା ସମୟରେ ଯେପରି କୌଣସି ବିଭ୍ରାଟ ନହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସମସ୍ତ ଏସ୍‌ପିଙ୍କୁ ଚିଠି ଲେଖାଯାଇଛି। ସମସ୍ତ ହବ୍‌ରେ ୨୪ଘଣ୍ଟିଆ ପୁଲିସ ମୁତୟନ ସହ ପ୍ରଶ୍ନପତ୍ର ଯେପରି ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ସୁରକ୍ଷିତ ଭାବେ ଯିବ ଏବଂ ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ହେବନି ସେଥିପାଇଁ ଆବଶ୍ୟକ ପୁଲିସ କର୍ମଚାରୀ ଯୋଗାଇ ଦେବାକୁ କୁହାଯାଇଛି।

publive-image https://www.google.co

ସେହିପରି ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ଯିବା ପୂର୍ବରୁ ଦୁଇ ଥାକିଆ ଯାଞ୍ଚ ବ୍ୟବସ୍ଥା ଦେଇ ଯିବାକୁ ହେବ। ପ୍ରଥମେ ସେମାନଙ୍କର ଶରୀର ଯାଞ୍ଚ ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଆଡମିଟ୍‌ କାର୍ଡ ଯାଞ୍ଚ ହେବ। ଯେଉଁ କେନ୍ଦ୍ରରେ ଯେଉଁ କଲେଜ/ସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବେ ସେହି କେନ୍ଦ୍ରର ଗେଟ୍‌ ନିକଟରେ ଉକ୍ତ ଅନୁଷ୍ଠାନର ଜଣେ ଜଣେ ଅଧ୍ୟାପକ/ଶିକ୍ଷକ ରହିବେ। ସେମାନେ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ କିଏ କେଉଁ କଲେଜରେ ଚିହ୍ନଟ କରିବେ। ଏହାଦ୍ବାରା ନକଲି ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେନି ବୋଲି ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ କହିଛନ୍ତି।

କେବଳ ଏତିକି ନୁହେଁ ଯଦି କୌଣସି ଛାତ୍ରଛାତ୍ରୀ ପ୍ରଶ୍ନପତ୍ରରେ ଗାରେଇବେ ବା କୌଣସି ଚିହ୍ନ ଆଙ୍କିବେ ତେବେ ତାହାକୁ କପି ଭାବେ ବିଚାର କରାଯିବ। କପି କରୁଥିବା ଅଭିଯୋଗରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଛାତ୍ରଛାତ୍ରୀ ପ୍ରଶ୍ନପତ୍ରରେ କୌଣସି ପ୍ରକାରର ଲେଖାଲେଖି ନକରିବାକୁ କୁହାଯାଇଛି।

ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ପୂର୍ବାହ୍ନ ୯ଟା ୩୦ରୁ ଛଡ଼ାଯିବ। ୯ଟା ୪୫ସୁଦ୍ଧା ସେମାନେ ସେମାନଙ୍କ ସିଟ୍‌ରେ ବସିବେ। ପରୀକ୍ଷା ସରିବା ପୂର୍ବରୁ ଯଦି କେହି ଖାତା ଦେଇ ବାହାରକୁ ଯିବାକୁ ଚାହିଁବେ ତେବେ ପ୍ରଶ୍ନପତ୍ର ପରୀକ୍ଷା ନିୟନ୍ତ୍ରକଙ୍କୁ ଦେଇ ଯିବେ। ସେହିପରି ପରୀକ୍ଷା କେନ୍ଦ୍ରକୁ ଯିଏ ବି ଯିବେ ସେମାନେ କେନ୍ଦ୍ର ସୁପରିନଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ୍‌ ଜମା କରି ଯିବେ। ପରୀକ୍ଷା କେନ୍ଦ୍ରକୁ କୌଣସି ପରିସ୍ଥିତିରେ ମୋବାଇଲ୍‌ କି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଛଡ଼ାଯିବନି। ପରୀକ୍ଷା ଶେଷ ହେବା ପରେ ପର୍ଯ୍ୟବେକ୍ଷକମାନେ ଉତ୍ତର ଖାତାଗୁଡ଼ିକୁ ସଂଗ୍ରହ କରି ହବ୍‌କୁ ପଠାଇବେ। ସେଠାରୁ ଉତ୍ତରଖାତାଗୁଡ଼ିକୁ ଡାକରେ ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବ ବୋଲି ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe