କାଲିଠୁ ରାଜ୍ୟରେ ସ୍ୱତନ୍ତ୍ର କରୋନା ଅଭିଯାନ ଆରମ୍ଭ: ୧୬ ଜୁନରୁ ୩୧ ଜୁଲାଇ ଯାଏଁ ଘରକୁ ଘର ବୁଲିବେ ଆଶା ଦିଦି ଓ ଏଏନଏମ କର୍ମୀ; ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ପରୀକ୍ଷା ପାଇଁ ସୁପାରିସ କରିବେ

2,643

କନକ ବ୍ୟୁରୋ: କାଲିଠୁ ରାଜ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର କରୋନା ଅଭିଯାନ । ୧୬ ଜୁନରୁ ୩୧ଜୁଲାଇ ପର୍ଯ୍ୟନ୍ତ ସହର ଓ ଗାଁର ସବୁ ଘର ଏବଂ ବସ୍ତି ବୁଲିବେ ଆଶା ଦିଦି ଓ ଏଏନଏମ କର୍ମୀ । ଲକ୍ଷଣ ଥିବା ଲୋକଙ୍କ ପାଖରେ ପହଚିଂ ସେମାନଙ୍କ କରୋନା ପରୀକ୍ଷା କରାଯିବ । ଆଗମୀ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ଏନଏଚଏମ ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ କହିଲେ, ପ୍ରଥମେ ୨ ମାସରେ ୫୦ ହଜାର ପରୀକ୍ଷା କରାଯାଇଥିବା ବେଳେ ଏବେ ୨ ସପ୍ତାହରେ ହେଉଛି ୫୦ ହଜାର ଟେଷ୍ଟ । ଓଡିଶାରେ ୨ ଲକ୍ଷ ଟପିଛି ନମୂନା ପରୀକ୍ଷା ।

ତେବେ କରୋନା ଭୁତାଣୁ ଏକ ନୂଆ ଭୁତାଣୁ । ଏହାକୁ ନେଇ ସାରାବିଶ୍ୱରେ ବର୍ତ୍ତମାନ ଅନେକ ଗବେଷଣା ଜାରି ରହିଥିବା ବେଳେ ଏହି ନୂଆ ମହାମାରୀକୁ ନେଇ ଆଇସିଏମଆର ପକ୍ଷରୁ ଟେଷ୍ଟିଂ ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରାଯାଇଥିବା ନେଇ କହିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ଭୁତାଣୁ କେମିତି ବ୍ୟାପେ, ସଂକ୍ରମଣ କେମିତି ହୁଏ, କାହାର ଟେଷ୍ଟିଂ କରିବା ଦ୍ୱାରା ସବୁଠୁ ସଠିକ୍ ଲୋକଙ୍କୁ ଚିହ୍ନଟ କରିହେବ ଏବଂ ଏହି କରୋନା ସଂକ୍ରମଣକୁ ରୋକି ହେବ ଏନେଇ ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ତେବେ ଯେଉଁ ଲୋକଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି ତାର ଟେଷ୍ଟିଂ କରାଯିବ ଏବଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବଂ ତାଙ୍କର କ୍ଲୋଜ କଂଟାକ୍ଟ ଲୋକର ଟେଷ୍ଟିଂ କରିବାକୁ ଗାଇଡଲାଇନ୍ସରେ କୁହାଯାଇଛି ।

ଗବେଷଣା ଅନୁସାରେ, ସଂକ୍ରମକ ମୁଖ୍ୟତଃ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ ଦ୍ୱାରା ହିଁ ବ୍ୟାପିଥାଏ ଏବଂ ଯେଉଁ ଲୋକଙ୍କ ଠାରେ କରୋନା ଲକ୍ଷଣ ବେଶି ଦେଖିବାକୁ ମିଳିନଥାଏ । ତାଙ୍କଠାରୁ ଭୁତାଣୁ ବ୍ୟାପିବାର ସମ୍ଭାବନା ବହୁତ କମ ରହିଥାଏ । ତେଣୁ ଓଡିଶାରେ ଯେଉଁଦିନ ଯେତିକି ଲକ୍ଷଣ ଥିବା ବ୍ୟକ୍ତି ମିଳିବେ ସେତିକି ଟେଷ୍ଟିଂ ଏବଂ କଂଟାକ୍ଟରେ ଆସିଥିବା ଲୋକଙ୍କର ଟେଷ୍ଟିଂ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ସ୍ୱତନ୍ତ୍ର କରୋନା ଅଭିଯାନ । ୧୬ ଜୁନରୁ ୩୧ ଜୁଲାଇ ପର୍ଯ୍ୟନ୍ତ ପ୍ରତ୍ୟେକ ସହର ଓ ଗାଁର ସବୁ ଘର ଏବଂ ବସ୍ତି ବୁଲିବେ ଆଶା ଦିଦି ଓ ଏଏନଏମ କର୍ମୀ । ଏବଂ ଲକ୍ଷଣ ଥିବା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ କରୋନା ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ ।