କଳା ପାଇଁ କାଲିମେଳାରୁ କାଳିଆଧାମ । ସ୍ୱାଭିମାନ ଅଞ୍ଚଳରୁ ଶ୍ରୀକ୍ଷେତ୍ର ଆସି ଗାଈ ଚରାଳିରୁ ସଫଳ ବାଲୁକା ଶିଳ୍ପୀ ବନିଲେ କୋୟା ଜନଜାତିର ଯୁବକ ।

204

କନକ ବ୍ୟୁରୋ: ମୁଁ ବନ୍ଧୁକ ଧରିବିନି, ମାଓବାଦୀ ହେବନି… ଭୋକରେ ମିରିଯିବି ପଛେ, ମାଓ ସଙ୍ଗଠନରେ ମିଶିବିନି, ଗରିବ ହୋଇ ରହିବି ପଛେ ସ୍ୱାଭିମାନକୁ ହରାଇବିନି… ଏମିତି କିଛି ଝୁଙ୍କ ନେଇ ଗାଈ ଚରାଳିରୁ ପ୍ରସିଦ୍ଧ ବାଲୁକାଶିଳ୍ପୀ ବନିପାରିଛନ୍ତି ସ୍ୱାଭିମାନ ଅଞ୍ଚଳରୁ ଶ୍ରୀକ୍ଷେତ୍ର ଆସିଥିବା ମୁକା କବାସୀ । କଳା ପାଇଁ ସେ କାଲିମେଳାରୁ କାଳିଆଧାମକୁ ଆସିଛନ୍ତି । ନିଜ ଭିତରେ ଚିତ୍ରକୁ ନେଇଥିବା ନିଶାକୁ ନିଖୁଣ କଳାରେ ପ୍ରଦର୍ଶନ କରିବାକୁ ସେ ମାଲକାନଗିରିରୁ ଆସି ପୁରୀରେ ସୁଦର୍ଶନ ପଟ୍ଟନାୟକଙ୍କୁ ଗୁରୁକରି ଆଜି ସାଜିଛନ୍ତି ବାଲୁକାଶିଳ୍ପୀ । ତେବେ ମୁକା କବାସୀଙ୍କ ସଫଳତା ପଛରେ ସଂଘର୍ଷର ଯାତ୍ରା କେଉଁ ସିନେମାର କାହାଣୀ ଠାରୁ ବି କମ ନୁହେଁ ।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ତୁମ୍ବାଗୁଡ଼ା ଗାଁର ଗଙ୍ଗା କବାସୀ ଏବଂ ପଦିଆ କବାସୀଙ୍କ ୪ ପୁଅ ମଧ୍ୟରୁ ନୁକା ହେଉଛନ୍ତି ସାନ ମଝିଆ ପୁଅ । ପିଲାବେଳେ ମୁକା ମାଓ ଇଲାକାରେ ଗାଈ ଚରାଉଥିଲେ, ପକ୍ଷୀ ଶିକାର କରୁଥିଲେ  । ହେଲେ ଏବେ ନିଜର କଳା ମାଧ୍ୟମରେ ସେ ଗଛ ନକାଟିବାକୁ, ପକ୍ଷୀ ଶିକାର ନକରିବାକୁ ସଚେତନତାର ବାର୍ତା ବାଂଟୁଛନ୍ତି । ତେବେ ମୁକା ପିଲାଦିନେ ଯେତେବେଳେ ଗାଇ ଚରାଇବାକୁ ଯାଆନ୍ତି ସେତେବେଳେ ସେ ଖଣ୍ଡେ କୋଇଲାରେ କାନ୍ଥରେ ଚିତ୍ର ଆଙ୍କନ୍ତି । ଆଉ ବଣକୁ କାଠ କାଟିବାକୁ ଯିବାବେଳେ ମାଟିରେ ମୂର୍ତ୍ତି ତିଆରି କରନ୍ତି ।

ତେବେ ମୁକାଙ୍କ ମନରେ ଚିତ୍ର ପ୍ରତି ଅହେତୁକ ଆଗ୍ରହ ଦିନେ ତାଙ୍କୁ ବାଟ ଦେଖାଇଥିଲା । କାଲିମେଳାରେ ଦିନେ ଚା ଦୋକାନରେ ଏକ ଖବରକାଗଜରେ ମୁକା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି ଦେଖିଥିଲେ ଆଉ ତାଙ୍କ ବାବଦରେ ଜାଣି ସେ ବି ଦିନେ ବାଲୁକାଶିଳ୍ପୀ ହେବେ ବୋଲି ସଙ୍କଳ୍ପ ନେଇଥିଲେ । ପରିବାରର ଆର୍ଥିକ ସ୍ଥିତି ଭଲନଥିବାରୁ ନିଜେ ମୂଲ ଲାଗି ୧୦ ହଜାର ଟଙ୍କା ଯୋଗାଡ଼ ୨୦୧୫ରେ ଭୁବନେଶ୍ୱର ଚାଲି ଆସିଥିଲେ  । ଭୁବନେଶର ଓ ପରେ ପୁରୀରେ ପାଠ ପଢ଼ିଲେ  । ଏହି ସମୟରେ ସୁଦର୍ଶନ ପଟ୍ଟନାୟକଙ୍କ ସହ ମିଶିବାର ସୁଯୋଗ ମିଳିଲା  । ସୁଦର୍ଶନଙ୍କ ବାଲୁକା କଳା କେନ୍ଦ୍ରରେ ମଧ୍ୟ ସେ ତାଲିମ ନେଲେ  । ବାଶ୍ ତା ପରେ ସେ ଆଉ ପଛକୁ ଫେରି ନାହାନ୍ତି । ନିଜ ସ୍ୱପ୍ନକୁ ସାକାର କରିବାକୁ ସପନର ପଥେ ପଥେ ଆଗେଇ ଚାଲିଛନ୍ତି…

ତେବେ ପିଲାଦିନେ ଗାଈ ଚରେଇଲା ବେଳେ ଆକାଶର ଉଡିଯାଉଥିବା ଉଡାଜାହାଜ ଦେଖି ବିସ୍ମିତ ହେଉଥିଲେ ମୁକା । କିନ୍ତୁ ଏହି ବାଲୁକାକା ଯେ ଦିନେ ତାଙ୍କୁ ସେହି ଉଡାଜାହାଜରେ ବସାଇବ ତାହା କେବେ ସେ କଳ୍ପନା କରିନଥିଲେ । ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ପାଇଁ ସେ ଲକ୍ଷନୋ ଯାଇ ସେଠାରେ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ତେଣୁ ସେ ସୁଦର୍ଶନଙ୍କ ପାଖରେ କୃତଙ୍କ ।

ତେବେ ମୁକା କୁହନ୍ତି ଯଦି ୨୦୧୨ରେ ସେଦିନ ସେ ଖବରକାଗଜ ଦେଖିନଥାନ୍ତେ ତେବେ ଆଜି ସେ ମାଓ ସଙ୍ଗଠନକୁ ଢଳି ଯାଇଥାନ୍ତେ । କାରଣ କୋୟା ଜନଜାତିର କିଛି ପିଲା ଅଧାରୁ ପାଠପଢ଼ା ଛାଡ଼ି ମାଓସଂଗଠ ଆଡ଼କୁ ଢଳିଯାଉଥିବା ବେଳେ କଳା ହିଁ ତାଂକୁ ନୂଆ ଦିଗ ଦେଇଛି  । ଯେଉଁଥିପାଇଁ ସେ ବନ୍ଧୁକ ବଦଳରେ ଆଜି ବାଲୁକାକଳାକୁ ନିଜ ଜୀବନର ବ୍ରତ ଭାବିନେଇଛନ୍ତି ଆଉ କହିଛନ୍ତି ମୋ ସ୍ୱପ୍ନ ନୁହେଁ ବେଶି ଦୂର…