ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଚୀନରୁ ଭାରତ ଫେରୁଛନ୍ତି ୪ଶହ ଭାରତୀୟ । ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଶିବିରରେ ରହିବାକୁ ହୋଇଛି ବ୍ୟବସ୍ଥା

287

କନକ ବ୍ୟୁରୋ : ଚୀନର ଉହାନ ସହରରୁ ଭାରତକୁ ଆଜି ଫେରିବେ ପ୍ରାୟ ୪ଶହ ଭାରତୀୟ । ସେମାନଙ୍କ ନେଇ ଉଡାଣ ଆରମ୍ଭ କରିସାରିଛି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବୋଇଂ ୭୪୭ । ଦୁଇ ଦଫାରେ ସମସ୍ତ ଭାରତୀୟଙ୍କ ଫେରାଇ ଆଣିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ବିମାନ ବନ୍ଦରରେ ପହଂଚିବା ପରେ ଏହି ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ପରେ ସେମାନଙ୍କୁ ସେନା ଶିବିରକୁ ପଠାଯିବ । ଯାତ୍ରୀ ମାନଙ୍କ ସହ ମଧ୍ୟ ଗୋଟିଏ ୫ ଜଣିଆ ଡାକ୍ତରୀ ଦଳ ରହିଛନ୍ତି । ଭାରତୀ ସେନା ପକ୍ଷରୁ ହରିଆଣାର ମାନେସରରେ ୩ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିର ପ୍ରସ୍ତୁତ କରି ରଖାଯାଇଛି । ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ଶିବିରକୁ ପଠାଯିବ ।

ଏଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦୈନିକ ଯାଂଚ କରାଯିବ ଏବଂ ୧୪ ଦିନ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯାତ୍ରୀମାନଙ୍କ ଦେହରେ କରୋନା ଭୂତାଣୁ ନଥିବା ଜଣାପଡିଲେ ସେମାନଙ୍କ ଘରକୁ ପଠାଇ ଦିଆଯିବ ବୋଲି ସେନା ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ କୌଣସି ଯାତ୍ରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଲେ ତାଙ୍କୁ ଦିଲ୍ଲୀର କେଂଟ ହସ୍ପିଟାଲରେ ଭର୍ତି କରାଯିବାର ବ୍ୟବସ୍ଥା ହୋଇଛି । ବର୍ତମାନ ଚୀନ ଛଡା ୨୦ଟି ଦେଶରେ କରୋନା ଭୂତାଣୁ ବ୍ୟାପିଥିବା ଜଣାପଡିଛି । ସାରା ବିଶ୍ୱରେ ପ୍ରାୟ ୯ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ-ଡବ୍ଲୁଏଚଓ ସୂଚନା ଦେଇଛି ।