ସୋନୁ ସୁଦଙ୍କୁ ଭେଟିବାକୁ ସାଇକେଲରେ ବିହାରରୁ ମୁମ୍ବାଇ । ସୋନୁ ସୁଦଙ୍କୁ ଭେଟି ଧନ୍ୟବାଦ ଜଣାଇବେ ବିହାରର ଅରମାନ ଅଭିନେତା

218

କନକ ବ୍ୟୁରୋ : ଲକଡାଉନରେ ସାହାଯ୍ୟ କରିଥିଲେ ସୋନୁ ସୁଦ । ଏହି ସାହାଯ୍ୟକୁ ଭୁଲି ପାରୁନାହାନ୍ତି ପ୍ରବାସୀ । ଏଭଳି ସାହାଯ୍ୟ ପାଇଁ ସୋନୁ ସୁଦଙ୍କୁ ପ୍ରବାସୀଙ୍କ ଭଗବାନ ବୋଲି କୁହାଯାଉଛି । ଏବେ ନିଜ ଭଗବାନଙ୍କୁ ଭେଟିବାକୁ ବିହାରରୁ ମୁମ୍ବାଇକୁ ସାଇକେଲରେ ବାହାରିଛନ୍ତି ଜଣେ ଯୁବକ । ସୋନୁଙ୍କୁ ଭେଟି ଧନ୍ୟବାଦ ଜଣାଇବା ପାଇଁ ରଖିଛନ୍ତି ଇଚ୍ଛା । ଯୁବକ ଜଣକ ହେଉଛନ୍ତି ବିହାର ବେଗୁସରାଇର ଅରମାନ ଅଭିନେତା ।

ନା ସେ ଜାଣିଛନ୍ତି ମୁମ୍ବାଇକୁ ରାସ୍ତା, ନାଁ ସୋନୁଙ୍କ ଠିକଣା । ହେଲେ ସୋନୁଙ୍କୁ ଭେଟି ଧନ୍ୟବାଦ ଜଣାଇବାର ପାଗଳାମୀ ତାଙ୍କୁ ଏବେ ମୁମ୍ବାଇର ରାସ୍ତା ଦେଖାଉଛି । ସେଥିପାଇଁ ତ ସେ ବିହାରରୁ ସାଇକେଲରେ ବାହାରି ପଡିଛନ୍ତି ମୁମ୍ବାଇ ।

ଏହି ଭିଡିଓକୁ ଦିପକ ପାଟନା ନାମକ ଜଣେ ଟ୍ୱିଟର ୟୁଜର ଶେୟାର କରିଥିଲେ । ତେବେ ଏହି ଭିଡିଓକୁ ଦେଖିବା ପରେ ଲଗାତାର ୩ ଥର ରି ଟ୍ୱିଟ କରିଛନ୍ତି ସୋନୁ । ସୋନୁ ପ୍ରଥମ ଟ୍ୱିଟରେ ଲେଖିଛନ୍ତି, ବିହାର ବାବୁ ଆପଣ ଆମ ଅତିଥି, ସାଇକେଲରେ କାହିଁକି ଆସିବେ ଫ୍ଲାଇଟରେ ଆସନ୍ତୁ, ଗଲା ବେଳେ ସାଇକେଲ ସହ ଫ୍ଲାଇଟରେ ଯିବେ । ଦ୍ୱିତୀୟ ଟ୍ୱିଟରେ ଲେଖିଛନ୍ତି, ତମେ ହେଉଛ ବିହାରର ରିୟଲ ହିରୋ । ସେହିପରି ତୃତୀୟ ଟ୍ୱିଟରେ ଲେଖିଛନ୍ତି ଖାଲି ହାତରେ ଆପଣ ଫେରିବେନି । ଆଲିଙ୍ଗନ କରି ଫେରିବ ।

ଲକଡାଉନ ବେେଳେ ସାରା ଦେଶରେ ପ୍ରବାସୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଘରକୁ ଫେରିନପାରି ଅନ୍ୟ ରାଜ୍ୟରେ ଫସି ରହିଥିଲେ । ଏହି ସମୟରେ ଦେବଦୂତ ସାଜିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ନିଜେ ବସ କରି ପ୍ରବାସୀମାନଙ୍କୁ ଘରକୁ ଫେରାଇବାର ବନ୍ଦୋବସ୍ତ କରିଥିଲେ ସୋନୁ । ତେବେ ବିହାରର ଅନେକ ପ୍ରବାସୀ ମଧ୍ୟ ସୋନୁ ସୁଦଙ୍କ ଯୋଗୁଁ ଘରକୁ ଫେରି ପାରିଥିଲେ । ଏନେଇ ସବୁ ବିହାର ବାସୀଙ୍କ ପାଇଁ ସୋନୁଙ୍କୁ ଧନ୍ୟବାଦ ଜଣାଇବାକୁ ଆଗେଇ ଆସିଛନ୍ତି ବେଗୁସରାଇର ଅରମାନ ଅଭିନେତା ।

ତେବେ ସୋନୁ ସୁଦଙ୍କ ସାହାଯ୍ୟ ପାଇଁ ଅନେକ ଲୋକ ତାଙ୍କୁ ହୃଦୟର ହିରୋ ମଧ୍ୟ କହୁଛନ୍ତି । ଏହି ସାହାଯ୍ୟ କରିବାର ଅଭିଯାନ ଏବେ ଯାଏଁ ମଧ୍ୟ ଜାରି ରଖିଛନ୍ତି ସୋନୁ । ସେ ଶିକ୍ଷା ହେଉ ଅବା ସ୍ୱାସ୍ଥ୍ୟ ସବୁବେଳ ଗରିବଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ସୋନୁ ସୁଦ ।