ଏପ୍ରିଲ୍‌ରୁ ବିଏସ୍‌-୬ ପେଟ୍ରୋଲ୍‌, ଡିଜେଲ୍ : ସିଏନ୍‌ଜି ଭଳି ସ୍ବଚ୍ଛ, ଏବେ କିଛି ହାତଗଣତି ଦେଶରେ ମିଳୁଛି

Advertisment
ଗୋଟିଏ ଲିଟର ପେଟ୍ରୋଲ ପାଇଁ ଟିକସ ଦିଅନ୍ତି ୬୬ପ୍ରତିଶତ । ପାକିସ୍ତାନ, ଶ୍ରୀଲଙ୍କା ଓ ଆଫାଗନିସ୍ତାନରେ ଶସ୍ତାରେ ମିଳୁଛି ପେଟ୍ରୋଲ । ଭାରତରେ କାହିଁକି ବଢୁଛି ଦର?

କନକ ବ୍ୟୁରୋ : ଆସନ୍ତା ଏପ୍ରିଲ୍‌ରୁ ଭାରତରେ ବିଏସ୍‌-୬ ମାନର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ଆରମ୍ଭ ହେବ। ଏହା ହେଉଛି ବିଶ୍ବର ସବୁଠୁ ସ୍ବଚ୍ଛ ଇନ୍ଧନ ଯାହା ଏବେ କିଛି ହାତଗଣତି ଦେଶରେ ବ୍ୟବହାର ହେଉଛି। ଏପ୍ରିଲ୍‌ରୁ ଭାରତ ସେହି ଦେଶଗୁଡ଼ିକର ତାଲିକାରେ ସାମିଲ ହେବ। ସ୍ବଚ୍ଛ ଇନ୍ଧନ ବ୍ୟବହାର ଦ୍ବାରା ପେଟ୍ରୋଲ୍‌ କାର୍‌ରେ ପ୍ରଦୂଷଣ ୨୫% ଡିଜେଲ୍ କାର୍‌ରେ ୭୦% ପର୍ଯ୍ୟନ୍ତ କମ୍ ହୋଇପାରିବ। ବିଏସ୍‌-୬ ହେଉଛି ବିଶ୍ବସ୍ତରୀୟ ମାନକ ୟୁରୋ-୬ ସହ ସମାନ। ଏହି ମାନର ତୈଳରେ ସଲ୍‌ଫର ମାତ୍ରା ବହୁତ କମ୍ ରହିଛି। ଯାନବାହନ ଚଳାଚଳ ଜନିତ ପ୍ରଦୂଷଣକୁ କମ୍ କରିବାକୁ ଚାହୁଥିବା ଭାରତରେ ଖୁବ୍‌ଶୀଘ୍ର ଏହି ସ୍ବଚ୍ଛ ଇନ୍ଧନ ବିକ୍ରି ହେବ।

ବର୍ତ୍ତମାନ ଦେଶରେ ବିଏସ୍‌-୪ ମାନର ଇନ୍ଧନ ବିକ୍ରି ହେଉଛି। ଏହି ନିୟମ ତିନି ବର୍ଷ ତଳେ ଲାଗୁ ହୋଇଥିଲା। ଆଉ ବିଏସ୍‌-୫ ନିୟମ ଲାଗୁ ନକରି ସିଧାସଳଖ ୨୦୨୦ ଏପ୍ରିଲ୍ ୧ରୁ ବିଏସ୍‌-୬ ନିୟମ ଲାଗୁ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ବିଶ୍ବର କୌଣସି ବଡ଼ ଦେଶରେ ଏତେ କମ୍ ସମୟ ଭିତରେ ଏଭଳି କଠୋର ମାନର ନିୟମ ପୂର୍ବରୁ ଲାଗୁ ହୋଇନାହିଁ। ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ସଞ୍ଜୀବ ସିଂହ କହିଛନ୍ତି ଯେ, ୨୦୧୯ ଡି‌ସେମ୍ବର ସୁଦ୍ଧା ସବୁ ବି‌ଶୋଧନାଗାରରୁ ବିଏସ୍‌-୬ ମାନର ତେଲ ଉତ୍ପାଦନ ଆରମ୍ଭ ହୋଇଯାଇଛି। ଏବେ କେବଳ ସେହି ତୈଳକୁ ପ୍ରତିଟି ଡିପୋରେ ପହଞ୍ଚାଇବା କାର୍ଯ୍ୟ କରିବାକୁ ହେବ। ସେହିଠାରୁ ସ୍ବଚ୍ଛ ପେଟ୍ରୋଲ ଓ ଡିଜେଲ୍ ପେଟ୍ରୋଲ ପମ୍ପ୍ ଜରିଆରେ ଯାନବାହନରେ ପ୍ରବେଶ କରିବ।

ଭାରତରେ ୨୦୧୦ରେ ବିଏସ୍‌-୩ ନିୟମ ଲାଗୁ ହୋଇଥିଲା। ଏହାର ସାତ ବର୍ଷ ପରେ ବିଏସ୍‌-୪ ନିୟମ ଲାଗୁ କରାଯାଇଥିଲା। ବିଏସ୍‌-୬ ମାନର ପେଟ୍ରୋଲ ଓ ଡିଜେଲ୍ ଏତେ ସ୍ବଚ୍ଛ ଯେ ଏହାକୁ ସିଏନ୍‌ଜି ସହ ତୁଳନା କରାଯାଇପାରିବ। ନବେ ଦଶକ ପ୍ରାରମ୍ଭରେ ଭାରତ ସରକାର ଇନ୍ଧନକୁ ନେଇ ସ୍ବତନ୍ତ୍ର ନୀତି ଗ୍ରହଣ କରିଥିଲେ। ୧୯୯୪ରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହରରେ ଲୋ ଲିଡ୍ ଗ୍ୟାସୋଲିନ୍ (ପେଟ୍ରୋଲ୍‌)ର ବ୍ୟବହାର ଆରମ୍ଭ କରାଯାଇଥିଲା। ୨୦୦୦ ଫେବ୍ରୁଆରି ୧ରୁ ଅନ୍‌ଲିଡେଡ୍‌ ଗ୍ୟାସୋଲିନ୍‌କୁ ସର୍ବଭାରତୀୟ ସ୍ତରରେ ଉପଲବ୍ଧ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe