ଚା’ ବାଲାରୁ ଦେଶର ଚୌକିଦାର, ସ୍ୱଂୟସେବକରୁ ପ୍ରଧାନସେବକ । ମାତ୍ର ୧୭ ବର୍ଷ ବୟସରେ ସ୍ୱୟଂସେବକ, ୨୦୦୧ରେ ମୁଖ୍ୟମନ୍ତ୍ରୀ, ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ । ଜନ୍ମଦିନରେ ପଢନ୍ତୁ, ମୋଦୀଙ୍କ ଜୀବନ କାହାଣୀ…

403

କନକ ବ୍ୟୁରୋ: ସନ୍ୟାସୀ ହେଇପାରିଲେନି ହେଲେ ଦେଶରେ ସେ ସରକାର ଗଢିଲେ । ହାତକୁ ହଟେଇଲେ, ଆଉ ପଦ୍ମକୁ ସାରା ଦେଶରେ ଫୁଟେଇଲେ । ନରେନ୍ଦ୍ର ଦାମୋଦର ଦାସ ମୋଦୀ, ବାସ୍ ଏ ନା ହିଁ କାଫି, ତାଙ୍କୁ ଜାଣିବା ଆଉ ଚିହ୍ନିବା ପାଇଁ…

• ୧୯୫୦ରେ ଜନ୍ମ

• ୧୭ ବର୍ଷରେ ସ୍ୱଂୟସେବକ

• ୨୦୦୧ରେ ମୁଖ୍ୟମନ୍ତ୍ରୀ ଆଉ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ

ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରର ମୋଦୀ ଏମିତି ଜଣେ ନେତା ଯିଏ ଲୋକପ୍ରିୟତା ସବୁଠୁ ଶିଖରରେ ପହଞ୍ଚିପାରିଛନ୍ତି । ମୋଦୀ ହେ ତୋ ମୁନକିନ୍ ହେ, ଲୋକଙ୍କ ହୃଦୟରେ ଆଜି ବି ରହିବା ସହ । ଦୁଇ ଦୁଇ ଥର ମୋଦୀଙ୍କୁ ଭରସା କରି ଭୋଟ୍ ଅଜାଡି ଦେଇଛନ୍ତି ଏ ଦେଶର କୋଟି କୋଟି ଜନତା । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖ । କ୍ୟାଲେଣ୍ଡର ପୃଷ୍ଠାର ୭୨ ବର୍ଷ ତଳେ, ଆଜିର ଦିନରେ ଗୁଜରାଟ ବଡନଗରରେ ଜନ୍ମନେଇଥିଲେ ନରେନ୍ଦ୍ର ମୋଦୀ । ବାପା ଦାମୋଦର ମୁଲଚନ୍ଦ ମୋଦୀଙ୍କ ୬ ପୁଅ ଝିଅ ଭିତରେ ମୋଦୀ ଥିଲେ ତୃତୀୟ । ପିଲା ଦିନରୁ କଥାରେ ପ୍ରବୀଣ, ଆଉ କାମରେ ଧୂରନ୍ଧର ନରେନ୍ଦ୍ର । ବାପାଙ୍କୁ ତାଙ୍କ ଚା ଦୋକାନରେ ସାହାଯ୍ୟ କରୁଥିଲେ, ଆଉ ନିଜେ ଷ୍ଟେସନରେ ବୁଲି ବୁଲି ଚା ବିକୁଥିଲେ । ତେବେ ପିଲା ଦିନରୁ ସନ୍ୟାସୀ ହେବାର ଇଚ୍ଛା ରଖିଥିବା ନରେନ୍ଦ୍ର ମାତ୍ର ୧୭ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହ ଯୋଡି ହେଇଯାଇଥିଲେ । ଯେଉଁଠୁ ସେ ଜୀବନର ଜିଇବାର କଳା ଶିଖିବା ସହ ସଂଘର ନିତିଦିନ କାମ କରିବା ଜାରି ରଖିଥିଲେ ।

୧୯୭୪ ମସିହାରେ ନବ ନିର୍ମାଣ ଆନ୍ଦୋଳନ ଆଉ ୧୯୮୫ରେ ବିଜେପିରେ ସାମିଲ ହେଇଥିଲେ ନରେନ୍ଦ୍ର ମୋଦୀ । ଯେଉଁଠୁ ଆରମ୍ଭ ହେଇଥିଲା ନମୋଙ୍କ ପଲିଟିକାଲ କ୍ୟାରିୟର । ୧୯୯୫ ମସିହାରେ ମୋଦୀ ନେତୃତ୍ୱ ନେବାର ଶୈଳୀ ତାଙ୍କୁ ଦଳର ରାଷ୍ଟ୍ରୀୟ ମହାମନ୍ତ୍ରୀ କରିପାରିଥିଲା । ଆଉ ଯେତେବେଳେ ୨୦୦୧ରେ ଗୁଜରାଟରେ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ହଟିଥିଲେ, ସେତେବେଳେ ନରେନ୍ଦ୍ର ଭାଇ ମୋଦୀଙ୍କ ଉପରେ ଭରସା କରିଥିଲା ଭାରତୀୟ ଜନତା ପାର୍ଟି ।

୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାଯ୍ୟ କରିଥିଲେ । ଆଉ ୨୦୧୪ ଯେତେବେଳେ ଲୋକସଭା ନିର୍ବାଚନର ସମୟ ଆସିଥିଲା, ସେତେବେଳେ ମୋଦୀଙ୍କୁ ପିଏମ୍ ପ୍ରାର୍ଥୀ କରିଥିଲା ଭାଜପା । ଅବ୍ କି ବାର ମୋଦୀ ସରକାର । ଅଛେ ଦିନ୍ ର ନାରା ଦେଇ ଲୋକଙ୍କ ବିଶ୍ୱାସ ଜିତିଥିଲେ ମୋଦୀ ଆଉ ବିଜେପି ମିଳିଥିଲା ସ୍ପଷ୍ଟ ବହୁମତ । ୨୦୧୪ ପରେ ୨୦୧୯ , ଲଗାତାର ଦ୍ୱିତୀୟ ଥର ପାଇଁ ଲୋକଙ୍କ ବିଶ୍ୱାସ ଜିତିଥିଲେ ମୋଦୀ । ଆଉ ରାଷ୍ଟ୍ରପତି ଭବନ ବାହାରେ ସାରା ବିଶ୍ୱ ଦେଖିଥିଲା ଏହି ଭବ୍ୟ ଶପଥ ଗ୍ରହଣ ସମାରୋହ ।

ଦିନ ପରେ ଦିନ ବଦଳୁଛି । ସମୟ ପରେ ସମୟ ଗଡିଚାଲିଛି । ରଣନୀତି ହେଉଛି, ରାଜନୀତି ବି ଚାଲିଛି । ସମୟ ବଢିବା ସହ ମୋଦୀଙ୍କ ଲୋକପ୍ରିୟତା କମ୍ ହେଇନି, ବରଂ ଦିନକୁ ଦିନ ବଢିଚାଲିଛି । ଆଉ ଏହାରି ଭିତରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନିଜର ୭୨ ବର୍ଷ ପୂରଣ କରିଛନ୍ତି ।