କନକ ବ୍ୟୁରୋ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କୋରାପୁଟ ଜିଲ୍ଲା ପୋଲିସରେ କାର୍ଯ୍ୟରତ କନଷ୍ଟେବଳ ରିତୁ ସିଂ । ସଫଳତାର ସହିତ ସେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅଛନ୍ତି ୨୦୪ ନମ୍ବର ର୍ୟାଙ୍କରେ । ରିତୁ ସିଂଙ୍କ ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ରହିବ ଏକ ପ୍ରେରଣା ପ୍ରଦ କାହାଣୀ ଭଳି । ରିତୁ ସିଂ ମଧ୍ୟ ଜଣେ ଜଣାଶୁଣା କ୍ରିକେଟର । ଓଡିଶା ୧୯ ବର୍ଷରୁ କମ୍ କ୍ରିକେଟ ଦଳର ଅଧିନାୟକ ବି ରହିଥିଲେ ରିତୁ ।
ରିତୁଙ୍କ ଘର ଜୟପୁର ପାରାବେଡା ନିକଟ ଶ୍ରୀରାମ ନଗରରେ । ବାପା ଜଣେ ମୋଟର ମେକାନିକ । ଏହା ମଧ୍ୟରେ କ୍ରିକେଟରରୁ ନିଯୁକ୍ତି ପାଇଥିଲେ ଓଡିଶା ପୋଲିସରେ । ତେବେ ନିଜର ଲକ୍ଷ୍ୟରୁ କେବେ ବିଚ୍ୟୁତ ହୋଇନଥିଲେ । ପୋଲିସ ବାରାକରେ ଜାରି ରଖିଥିଲେ ଓଏଏସ ପାଇଁ ପ୍ରସ୍ତୁତି । ଏହାରି ମଧ୍ୟରେ ସେ ଚାଖିଛନ୍ତି ସଫଳତାର ସ୍ୱାଦ । ଓଡିଶାର ଉପାନ୍ତ କୋରାପୁଟ ଜିଲ୍ଲା ପୋଲିସରେ ଥାଇ ରିତୁ ସିଂ ଯେଉଁ ସଫଳତା ହାସଲ କରିଛନ୍ତି ତାହା ପରିବାର ସମେତ ଜୟପୁରରେ ଖେଳାଇ ଦେଇଛି ଖୁସିର ଲହରୀ ।
ଗତକାଲି ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୮ର ଫଳାଫଳ । ଏଥିରେ ମୋଟ ୨୧୮ ଜଣ ସଫଳତା ପାଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ୭୨ ଜଣ ମହିଳା । ସୁନ୍ଦରଗଡ ବଣାଇ ଅଂଚଳର ଦେବାଶୀଷ ପଣ୍ଡା ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଋତୁପର୍ଣ୍ଣା ମହାପାତ୍ର, ତୃତୀୟ ସ୍ଥାନରେ ଆକାଶ କୁମାର ପଣ୍ଡା ରହିଛନ୍ତି । ଚତୁର୍ଥ ସ୍ଥାନରେ ସନ୍ତୋଷିନୀ ଦାସ ଓ ପଂଚମ ସ୍ଥାନରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା । ପ୍ରଥମ ୧୦ ଜଣ ମଧ୍ୟରେ ୬ ଜଣ ମହିଳା ରହିଛନ୍ତି । ଏହି ସମସ୍ତ କୃତକାର୍ଯ୍ୟ ପରୀକ୍ଷାର୍ଥୀ ରାଜ୍ୟ ସରକାରଙ୍କ ଅଧିନରେ ଗ୍ରୁପ-ଏ ଓ ବି ଅଧିକାରୀ ଭାବେ ନିଯୁକ୍ତି ପାଇବେ ।