ଗତ ୧୮ ବର୍ଷ ମଧ୍ୟରେ ସିବିଆଇ ଜାଲରେ ବିରୋଧୀ ନେତା । ୟୁପିଏ ସରକାରରେ ୬୦ ପ୍ରତିଶତ ତ ଏନଡିଏ ସରକାରରେ ୯୫ ପ୍ରତିଶତ ।

122

କନକ ବ୍ୟୁରୋ : ଦେଶର ଜାତୀୟ ଯାଂଚ ଏଜେନ୍ସିଗୁଡିକ ରାଜନୈତିକ ଦଳଙ୍କ ଇସାରାରେ କାର୍ଯ୍ୟ କରିଥାନ୍ତି ବୋଲି ବାରମ୍ବାର ଅଭିଯୋଗ ହୋଇଥାଏ । ଗତ ୧୮ ବର୍ଷ ମଧ୍ୟରେ ଉଭୟ କଂଗ୍ରେସ ଓ ବିଜେପି ସରକାର ସମୟରେ ପାଖାପାଖି ୨୦୦ ନେତାଙ୍କ ବିରୋଧରେ ସିବିଆଇରେ ମାମଲା ରୁଜୁ ହୋଇଛି । ହେଲେ ସବୁଠାରୁ ବଡକଥା କି ସିିବିଆଇରେ ମାମଲା ରୁଜୁ ହୋଇଥିବା ନେତାଙ୍କ ମଧ୍ୟରୁ ୮୦ ପ୍ରତିଶତ ନେତା ହେଉଛନ୍ତି ବିରୋଧୀଦଳର । ହେଲେ ୨୦୧୪ ରେ ଏନଡିଏ ସରକାର ଆସିବା ପରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଛି ।

କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର ୧୦ ବର୍ଷ ଚାଲିଥିଲା (୨୦୦୪-୨୦୧୪) । ଏହି କାର୍ଯ୍ୟକାଳ ମଧ୍ୟରେ ୭୨ ଜଣ ନେତାଙ୍କ ବିରୋଧରେ ସିବିଆଇରେ ମାମଲା ରୁଜୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ୪୩ ଜଣ ଅର୍ଥାତ ୬୦ ପ୍ରତିଶତ ନେତା ବିରୋଧୀ ଦଳର ଥିଲେ । ସେହିଭଳି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୧୨୪ ଜଣ ପ୍ରମୁଖ ନେତାଙ୍କ ନାମରେ ସିବିଆଇରେ ମାମଲା ରୁଜୁ ହୋଇଛି । ହେଲେ ସେମାନଙ୍କ ମଧ୍ୟରୁ ୧୧୮ ଜଣ ନେତା ଅର୍ଥାତ ୯୫ ପ୍ରତିଶତ ବିରୋଧୀ ଦଳର ।

ୟୁପିଏ ଶାସନ କାଳରେ ସିବିଆଇ ୪୩ ଜଣ ବିରୋଧୀଦଳ ନେତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ବିଜେପିରୁ ସର୍ବାଧିକ ୧୨ ଜଣ ନେତା ଥିଲେ । ସେମାନଙ୍କ ମଧ୍ୟରୁ ମୁଖ୍ୟତ ଏବେକାର ଗୃହମନ୍ତ୍ରୀ ଅମିତ ଶାହା, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପା ଓ ପ୍ରମୋଦ ମହାଜନଙ୍କ ନାମ ଥିଲା ।