ନୂଆ ବାଇକ୍ ହେଉ କିମ୍ବା କାର । ନୂଆବର୍ଷ ୨୦୨୦ରୁ ସବୁ ହେବ ମହଙ୍ଗା ।

679

କନକ ବ୍ୟୁରୋ : ନୂଆବର୍ଷରୁ ମହଙ୍ଗା ହେବ ବାଇକ୍ ଏବଂ କାର । ନୂଆବର୍ଷରେ ଯଦି ଆପଣ ନୂଆ ବାଇକ୍ କିମ୍ବା କାର କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିପାରେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ଅଧିକାଂଶ ଅଟୋ ମୋବାଇଲ୍ସ କମ୍ପାନୀ ବାଇକଠୁ ଆରମ୍ଭ କରି କାର ପର୍ଯ୍ୟନ୍ତ ମୂଲ୍ୟରେ ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି । ଆଉ ଏହି ନୂଆ ମୂଲ୍ୟ ଜାନୁଆରୀ ୧ ତାରିଖକୁ ଲାଗୁ ହେବାକୁ ଯାଉଛି ।

ମହଙ୍ଗା ହେବ ହ୍ୟୁଣ୍ଡାଇ ଗାଡି । ହ୍ୟୁଣ୍ଡାଇ କମ୍ପାନୀର ସମସ୍ତ ମଡେଲର ମୂଲ୍ୟ ବୃଦ୍ଧି କରାଯାଇଛି । ସେହିପରି ହିରୋ କମ୍ପାନୀ ମଧ୍ୟ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିବା ନେଇ ଘୋଷଣା କରିଛି । ଆସନ୍ତା ନୂଆବର୍ଷ ଠାରୁ ଆପଣ ହିରୋ କମ୍ପାନୀର ଯେକୌଣସି ବାଇକ୍ କିଣିବେ, ସେଥିପାଇଁ ଆପଣଙ୍କୁ ୨୦୦୦ ଟଙ୍କା ଅଧିକ ଗଣିବାକୁ ପଡିବ ।

କେବଳ ହିରୋ ନୁହେଁ, ଟିଭିଏସ କମ୍ପାନୀ ମଧ୍ୟ ନିଜ ଗାଡି ଗୁଡିକର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଟିଭିଏସ୍ ନିଜର ବିଭିନ୍ନ ମଡେଲରେ ଅନ୍ ରୋଡ ରେଟରେ ୭୫୦୦ରୁ ୩୯ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରେ ।

ସେହିପରି ଭାରତର ସବୁଠୁ ବଡ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ମଧ୍ୟ ଆସନ୍ତା ନୂଆବର୍ଷ ଠାରୁ ନିଜ କାର ଗୁଡିକର ମୂଲ୍ୟରେ ବୃଦ୍ଧି କରିବାକୁ ଘୋଷଣା କରିଛି । ମାରୁତି ସୁଜୁକି ସହ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟୋୟୋଟା ମୋଟର୍ସ, ଏବଂ ମର୍ସିଡିଜ୍ ବେଞ୍ଜ ମଧ୍ୟ ନିଜ ଗାଡି ଗୁଡିକରେ ମୂଲ୍ୟରେ ବୃଦ୍ଧି କରିପାରନ୍ତି ।

ଅନ୍ୟପଟେ ଟାଟା ମୋଟର୍ସ ମଧ୍ୟ ନିଜ କାର ଗୁଡିକର ମୂଲ୍ୟ ବୃଦ୍ଧି କରିବା ପାଇଁ ଘୋଷଣା କରିଛି । କୁହାଯାଉଛି ଏହି କମ୍ପାନୀର କାର ଗୁଡିକର ମୂଲ୍ୟ ୧୦ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ସେହିପରି ଅନ୍ୟ କେତେକ କମ୍ପାନୀ ମଧ୍ୟ ନିଜ ଗାଡି ଗୁଡିକର ମୂଲ୍ୟରେ ବୃଦ୍ଧି କରିବା ନେଇ ଚିନ୍ତା କରୁଥିବା ଜଣାପଡିଛି । ଆଉ ଖୁବଶୀଘ୍ର ଏନେଇ ଘୋଷଣା ହୋଇପାରେ ।