ସାପକୁ ଖାଇଲା ବେଙ୍ଗ । ଦୁନିଆର ସବୁଠୁ ଅଧିକ ବିଷଧର ସାପକୁ ଜୀଅନ୍ତା ଚୋବାଇ ଖାଇଗଲା ବେଙ୍ଗ !

993

କନକ ବ୍ୟୁରୋ : ଆପଣ ଛୋଟବେଳୁ ଶୁଣିଆସୁଥିବେ କିମ୍ବା ଅନେକ ଥର ଦେଖିଥିବେ ସାପ ବେଙ୍ଗକୁ ଖାଇଥାଏ । କିନ୍ତୁ କେବେ ଏମିତି ଶୁଣିଛନ୍ତି କି, ବେଙ୍ଗ ସାପକୁ ଖାଏ । ସିଏ ପୁଣି ଏମିତି ସେମିତି ସାପ ନୁହେଁ, ଦୁନିଆର ତୃତୀୟ ସବୁଠାରୁ ଅଧିକ ବିଷଧର ସାପ । ଆପଣ ଭାବୁଥିବେ ଏହା କେମିତି ସମ୍ଭବ ହେଲା । ଆଉ ଏତେ ବିଷଧର ସାପକୁ ଖାଇବା ପରେ ବେଙ୍ଗର କଣ ହେଲା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କିଛି ଏପରି ଘଟଣା ଘଟିଛି । ଏକ ବେଙ୍ଗ ଦୁନିଆର ତୃତୀୟ ସବୁଠାରୁ ଅଧିକ ବିଷଧର ସାପକୁ ଖାଇଦେଲା, ଏବଂ ବେଙ୍ଗର କୌଣସି କ୍ଷତି ମଧ୍ୟ ହେଲା ନାହିଁ ।

ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । କିଭଳି ଏକ ବିଷଧର ସାପକୁ ଜିଅନ୍ତା ଗିଳିଦେଇଛି ଏକ ବେଙ୍ଗ । ଏକ ସବୁଜ ରଙ୍ଗର ବେଙ୍ଗ ସାପଟିକୁ ମୁହଁରେ କାମୁଡିଧରିଛି । ଆଉ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି, ଏହି ସାପଟି ଦୁନିଆର ତୃତୀୟ ସବୁଠାରୁ ଅଧିକ ବିଷଧର । ଯାହାର ନାଁ ହେଉଛି କୋଷ୍ଟାଲ ତାଇପାନ୍ । କୁହାଯାଏ ଏହି ସାପ କାମୁଡିବାର କିଛିଟା ମିନିଟ୍ ମଧ୍ୟରେ ଜୀବନ ଚାଲିଯାଇଥାଏ । ଏହା ଏତେ ବିଷଧର ଯେ, ଚୋଟ ମାରିବା ମାତ୍ରେ ସାରା ଦେହରେ ଖୁବ ଶୀଘ୍ର ବିଷ ଚରିଯାଇଥାଏ । ଆଉ ବିଶେଷ ଭାବେ ମସ୍ତିଷ୍କ ଉପରେ ଏହାର ବଡ ପ୍ରଭାବ ପଡିଥାଏ ।

ଏହି ସାପ ଅଷ୍ଟ୍ରେଲିଆର ଉତର ଏବଂ ପୂର୍ବ ଉପକୂଳ ଅଂଚଳରେ ଏବଂ ନ୍ୟୁ ଗିନି ଦୀପରେ ଅଧିକାଂଶ ଦେଖିବାକୁ ମିଳିଥାନ୍ତି । ତେବେ ଏଭଳି ଏକ ବିଷଧର ସାପକୁ ଏକ ବେଙ୍ଗ ଜୀଅନ୍ତା ଗିଳିଦେବା ଘଟଣା ଏବେ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଏହି ଫଟୋ ଅଧିକ ମାତ୍ରାରେ ସେୟାର ହୋଇଥିବା ବେଳେ ଏହା ଆଶ୍ଚର୍ଯ୍ୟଜନକ ବୋଲି ଅଧିକାଂଶ ମତ ଦେଇଛନ୍ତି