ରାକ୍ଷୀ ବାନ୍ଧି ୪୦ ଲକ୍ଷ ଟଙ୍କା ଲୁଟିନେଲା ଧରମ ଭଉଣୀ । ବିଶ୍ୱାସ ଜମାଇବା ପରେ ଲଗାଇଲା ଚୁନା । ଦମ୍ପତ୍ତି ଗିରଫ ।

Advertisment
ରାକ୍ଷୀ ବାନ୍ଧି ୪୦ ଲକ୍ଷ ଟଙ୍କା ଲୁଟିନେଲା ଧରମ ଭଉଣୀ । ବିଶ୍ୱାସ ଜମାଇବା ପରେ ଲଗାଇଲା ଚୁନା । ଦମ୍ପତ୍ତି ଗିରଫ ।

କନକ ବ୍ୟୁରୋ: ପ୍ରଥମେ ବ୍ୟବସାୟ, ତାପରେ ବନ୍ଧୁତା । ଆଉ ପରେ ପାରିବାରିକ ସମ୍ପର୍କ । ଜନ୍ମ ନେଲା ଧରମ ଭାଇ-ଭଉଣୀ ବନ୍ଧନ । ଜଣଙ୍କ ପତ୍ନୀ ଅନ୍ୟ ଜଣଙ୍କ ହାତରେ ବାନ୍ଧିଲେ ରାକ୍ଷୀ। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଏହି ସଂପର୍କ ପଛର ଉଦ୍ଦେଶ୍ୟ ଥିଲା ଛଳନା, ପ୍ରତାରଣା ଓ ଠକେଇ ! ଧରମ ଭାଇ ହାତରେ ରାକ୍ଷୀ ବାନ୍ଧି ୪୦ ଲକ୍ଷ ଟଙ୍କାର ଚୂନା ଲଗାଇ ଦେଇଛି ଧରମ ଭଉଣୀ । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକରୁ ଆସିଛି ଏଭଳି ଏକ ବଡ ଠକେଇର ଖବର ।

ଠକେଇର ଶିକାର ହୋଇଛନ୍ତି ବଛରାଇ ଗାଁର ଔଷଧ ବ୍ୟବସାୟୀ ସନ୍ତୋଷ ପରିଡା । ଏହି ବ୍ୟବସାୟରେ ସହଯୋଗ କରୁଥିଲେ ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଅଂଚଳର ବିଭୂକଲ୍ୟାଣ ମିଶ୍ର । ଯିଏକି ଉତ୍ତରାଖଣ୍ଡ ହରିଦ୍ୱାରର ଏକ ଔଷଧ କଂପାନୀରେ ଏଚଆର ମ୍ୟାନେଜର ଭାବ କାମ କରୁଥିବା ଅଭିଯୋଗ ରହିଛି। ଔଷଧ ବ୍ୟବସାୟରୁ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ଗଢିଉଠିଥିଲା। ପରେ ବିଭୂଙ୍କ ପତ୍ନୀ ସନ୍ତୋଷଙ୍କ ହାତରେ ରାକ୍ଷୀ ବାନ୍ଧି ସଂପର୍କକୁ ଆଉ ପାଦେ ଆଗକୁ ନେଇଥିଲେ। ଏହାରି ଭିତରେ ଉତ୍ତରାଖଣ୍ଡର ଅନ୍ୟ ଜଣେ ଯୁବକ ରାହୁଲ ଯୋଶୀଙ୍କ ସହ ପରିଚୟ କରାଇଥିଲେ ବିଭୂ କଲ୍ୟାଣ ମିଶ୍ର । ସିଏ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବୋଲି କହିଥିଲେ ବିଭୂକଲ୍ୟାଣ । ସେ ସନ୍ତୋଷଙ୍କୁ ଔଷଧ କଂପାନୀ ତିଆରି କରିବାରେ ସହଯୋଗ କରିବେ ବୋଲି କହିଥିଲେ। ଏଥିପାଇଁ ସନ୍ତୋଷ ପର୍ୟ୍ୟାୟରେ ୪୦ ଲକ୍ଷ ଟଂକା ଦେଇଥିବା ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ।

ପାଟକୁରା ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମୁଖ୍ୟ ଅଭିଯୁକ୍ତ ବିଭୂକଲ୍ୟାଣର ମୋବାଇଲକୁ ଟ୍ରାକ କରି ଉତ୍ତରାଖଣ୍ଡର ହରିଦ୍ୱାରରୁ ରାହୁଲ ଯୋଶୀଙ୍କୁ ଗିରଫ କରଯାଇଛି। ପରବର୍ତ୍ତୀ ସମୟରେ ବିଭୂକଲ୍ୟାଣ ମିଶ୍ର ଓ ତାଙ୍କ ସ୍ତ୍ରୀ ବୀଣା ମିଶ୍ରଙ୍କୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଚଉଦକୁଲାଟ ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe