ପ୍ରେମ ପାଇଁ ସାଙ୍ଗକୁ ଜୀବନରୁ ମାରିଦେଲା ସାଙ୍ଗ । ଭୋଜି ଖୁଆଇ, ମଦ ପିଆଇ ତଣ୍ଟି ଚିପିଦେଲା ସୈତାନ ସାଙ୍ଗ ।

1,523

କନକ ବ୍ୟୁରୋ : ସାଙ୍ଗକୁ ମାରିଲା ସାଙ୍ଗ । ତ୍ରିକୋଣୀୟ ପ୍ରେମ କାହାଣୀରୁ କରୁଣ ପରିଣତି । ପ୍ରେମ ପାଇଁ ହତ୍ୟାକାରୀ ସାଜିଲା ସାଙ୍ଗ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରୁ ଆସିଛି ଏମିତି ଏକ ଚାଂଚଲ୍ୟକର ଖବର । ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଦେବଲାପଡ଼ା ଗ୍ରାମର ଉମାକାନ୍ତ କାଣ୍ଡ ଏବଂ ତାଙ୍କ ସାଙ୍ଗ ରୁମାନ ବଗର୍ତ୍ତି ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଉମାକାନ୍ତଙ୍କ ସହ ଉକ୍ତ ଯୁବତୀଙ୍କ ଘନିଷ୍ଠତା ବଢୁଥିଲା। ଯାହାକୁ ଗ୍ରହଣ କରି ପାରିନଥିଲେ ରୁମାନ। ଶେଷରେ ସାଙ୍ଗର ହତ୍ୟା ପାଇଁ ହୋଇଥିଲା ଯୋଜନା ।

ଯୋଜନା ଅନୁଯାୟୀ ଗତ ମେ ମାସ ୨ତାରିଖରେ ରୁମାନ ନିଜ ନାନୀଘରକୁ ରାୟଗଡା ଆସି ଏକ ଷଡଯନ୍ତ୍ର କରି ଉମାକାନ୍ତକୁ ରାୟଗଡାକୁ ଟିକଟ କରି ଆସିବା ପାଇଁ ୩ ତାରିଖରେ ଫୋନ କରି କହିବାରୁ ଉମାକାନ୍ତ ୪ତାରିଖ ଦିନ ନିଜ ପରିବାରକୁ କହି ରାୟଗଡା ଆସିଥିଲା। ଏହା ପୁର୍ବରୁ ରୁମାନ ଚାନ୍ଦିଲି ଗାଁର ନିଜ ବଡମାର ପୁଅ ପ୍ରଶାନ୍ତ ବର୍ଗତି ଓ ଅନ୍ୟ ସାଙ୍ଗ ବିକାଶ ଭଟ୍ଟକୁ ସାଥୀ କରି ଉମାକାନ୍ତକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଉମାକାନ୍ତ ରାୟଗଡା ଆସିବା ପରେ ଭୋଜିକରି ଖାଇବା କହି ଚାରିଜଣ ମିଶି କଲ୍ୟାଣସିଂହପୁର ବ୍ଲକ କନ୍ଧ କାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପଙ୍ଗେଲି ଗାଁ ନିକଟ ଘୋଡ ନାଳର ଚେକଡେମକୁ ଆସିଥିଲେ ଏଠାରେ ଭୋଜିକରିବା ସହ ମଦ୍ୟପାନ କରିଥିଲେ। ନିଶା ହେବାପରେ ଦୁଇ ସାଙ୍ଗ ରୁମାନ ଓ ଉମାକାନ୍ତ ସହ ବଚସା ହୋଇଥିଲା। ରୁମାନ ରାଗିଯାଇ ସାଙ୍ଗ ଉମାକାନ୍ତର ବେକ ଚିପି ଦେଇଥିଲେ। ଉମାକାନ୍ତ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।

ହତ୍ୟା କରିବା ପରେ ଦୁଇ ସାଙ୍ଗଙ୍କ ସାହାଯ୍ୟରେ ଚେକଡେମ ନିକଟର ବାଲିପଠାରେ ଗାତଖୋଳି ପୋତିବା ପରେ ମୃତ ଶରୀର ଉପରେ ପଥର ଲଦି ବାଲି ଘୋଡାଇ ୬ ତାରିଖ ଦିନ ଗାଁକୁ ଚାଲିଯାଇଥିଲେ ରୁମାନ । ଉମାକାନ୍ତର ମୋବାଇଲ ଫୋନ ବନ୍ଦ ଥିବାରୁ ପରିବାର ଲୋକେ ରୁମାନକୁ ଯାଇ ଉମାକାନ୍ତ କୁଆଡେ ଗଲା ବୋଲି ପଚାରିଥିଲେ। ତେବେ ଉମାକାନ୍ତଙ୍କ ବାବଦରେ ଜାଣିନଥିବା କହି ନିଜକୁ ଏହି ମାମଲାରୁ ଦୂରେଇ ରଖିବାକୁ ଉଦ୍ୟମ କରିଥିଲା ରୁମାନ । ତେବେ ପରିବାର ଲୋକେ ଅନେକ ଖୋଜା ଖୋଜି କରି କିଛି ସୂଚନା ନ ପାଇ ଗତ ୧୧ ତାରିଖ ଦିନ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ମାମଲା ରୁଜୁ କରି ରୁମାନକୁ ତଦନ୍ତ ପରିସର ଭୁକ୍ତ କରିଥିଲେ । ତଦନ୍ତ କ୍ରମେ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲା ପୋଲିସ । ଆଉ ତଦନ୍ତ ଆଗେଇବା ସହ  ରାୟଗଡ଼ା ଜିଲ୍ଲା ଥେରୁବାଲିକୁ ଗତ ୨୮ ତାରିଖ ଦିନ ରୁମାନକୁ ନେଇ ଯାଇଥିଲେ ପୋଲିସ । ରାୟଗଡ଼ାରେ ସବିଶେଷ ତଦନ୍ତ କରି ରୁମାନ ତାର ଅନ୍ୟ ଦୁଇ ଜଣ ସମ୍ପର୍କୀୟ ଭାଇ ଓ ଅନ୍ୟଜଣେ ଯୁବକ ସହ ମିଶି ଉମାକାନ୍ତ କୁ ହତ୍ୟା କରି ଥେରୁବାଲି ଥାନା ଅନ୍ତର୍ଗତ ନିକଟସ୍ଥ ପାଇକ ପଡ଼ାର ଏକ ନାଲ ନିକଟରେ ହତ୍ୟା କରି ମାଟିରେ ପୋତି ଦେଇଥିବା ଜାଣିବାକୁ ପାଇଥିଲା । ପୋଲିସ ଉକ୍ତ ସ୍ଥାନରୁ ଉମାକାନ୍ତର ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଅଭିଯୁକ୍ତ ରୁମାନ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।