ବାପ-ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ମାମଲା : ଜେଲରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ୍

30

କନକ ବ୍ୟୁରୋ : ଖୋର୍ଦ୍ଧା ବେଗୁନିଆରେ ବାପ-ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ମାମଲାରେ ଜେଲରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ୍ । ଖୋର୍ଦ୍ଧା ବେଗୁନିଆର ଆତଙ୍କ ଖେଳାଇଥିବା ଗୁରୁଜୀ ମାନସ ଦାସଙ୍କ ସଂଗଠନର ସଦସ୍ୟ ମାନେ ସଂଗଠନରେ ସାମିଲ ହେବାକୁ ମନା କରିିବା ପରେ ବାପ-ପୁଅଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ପୂର୍ବରୁ ହତ୍ୟା ମାମଲାରେ ଜେଲରେ ଥିବା ୩ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।

ଏମାନେ ସତ୍ୟବ୍ରତ ନାୟକ ହତ୍ୟା ମାମଲାର ମଧ୍ୟ ଅଭିଯୁକ୍ତ ହୋଇ ଜେଲରେ ଥିଲେ । ସେପଟେ ଗୁରୁଜୀ ମାନସ ଦାସ ନାଁରେ ଅଭିଯୋଗ ବଢିବାରେ ଲାଗିଛି । ମାନବବାଦୀ ସଂଗଠନରେ ଯୋଗ ନଦେବାରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ଆସିଛି ଅନୁଗୁଳରୁ । ବଡକନ୍ତକୁଳ ଗାଁର କୃତାର୍ଥ ନାୟକଙ୍କୁ ସଂଗଠନରେ ସକ୍ରିୟ ଭାବେ ସାମିଲ ନହେବାରୁ ଗୁରୁଜୀଙ୍କ ନିର୍ଦ୍ଦେଶରେ ପ୍ରବଳ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବନ୍ତଳା ଥାନାରେ କୃତାର୍ଥଙ୍କ ମାଆ ଅଗଷ୍ଟ ୨୦ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ୨୦୧୫ରେ ମାନସ ଦାସଙ୍କ ମାନବବାଦୀ ସଂଗଠନରେ ସାମିଲ ହୋଇଥିଲେ । କିନ୍ତୁ ପରବର୍ତନ ସମୟରେ ସଂଗଠନ କାର୍ଯ୍ୟକ୍ରମରେ ଯୋଗ ନଦେବାରୁ ଗତ ଅଗଷ୍ଟ ୧୨ ତାରିଖରେ ଗୁରୁଜୀଙ୍କ ନିର୍ଦ୍ଦେଶରେ କୃତାର୍ଥଙ୍କୁ ସ୍ଥାନୀୟ ଅଂଚଳର ଏଜେଂଟ ଡାକିନେଇ ନିସ୍ତୁକ ମାଡ ମାରିଥିଲେ । ଏପରି କି ଏ ଘଟଣା କାହା ଆଗରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।