କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳରେ ଗୋଷ୍ଠୀ ସଂଘର୍ଷରୁ ସିରିଜ ବୋମା ମାଡ । ବ୍ରହ୍ମଗିରି ଥାନା ଅଂଚଳର ବଡବନ୍ଧକେରା ଗାଁରେ ଗୋଷ୍ଠୀ ସଂଘର୍ଷର ଉଗ୍ର ରୁପ ଦେଖିବାକୁ ମିଳିଛି । ବୋମା ମାଡରେ ଜଣେ ଯୁବକ ହାତ ଛିଣ୍ଡି ଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Advertisment

ବ୍ରହ୍ମଗିରି ଥାନା ବଡ଼ବନ୍ଧକେରା ଗାଁରେ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା। ଗାଁରେ ଜନ୍ତାଳ ଭୋଗ ଆରମ୍ଭ ହୋଇଥିଲା। ଗୋଟିଏ ଗୋଷ୍ଠୀ ଜନ୍ତାଳ ଭୋଗ ବସାଇବା ବେଳେ ବିରୋଧୀ ଗୋଷ୍ଠୀ ଆସି ଭୋଗ ପାଇଁ ପାଟିତୁଣ୍ତ ଆରମ୍ଭ କରିବା ସହ ଘନଘନ ବୋମାମାଡ଼ କରିଥିଲେ। ଗାଁ’ର ମନୋଜ ପାଣିଙ୍କ ଉପରକୁ ଲକ୍ଷ୍ୟକରି ବୋମାମାଡ଼ କରାଯିବାରୁ ଘଟଣା ସ୍ଥଳରେ ତାଙ୍କ ହାତ ଛିଣ୍ତି ଗାଁ ଦାଣ୍ତରେ ପଡ଼ିଥିଲା । ମନୋଜଙ୍କ ପାଖରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ମନୋଜଙ୍କୁ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମନୋଜଙ୍କ ମୁଣ୍ତରେ ମଧ୍ୟ ଶକ୍ତ ଆଘାତ ଲାଗିଛି ।

ଖବର ପାଇ ବ୍ରହ୍ମଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ବ୍ରହ୍ମଗିରି ପୁଲିସ କହିଛି। ଅନ୍ୟପଟେ ଗାଁରେ ଏବେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ଗାଁ’ରେ ମୁତୟନ ହୋଇଥିବା ବେଳେ ପୁରୀରୁ ବରିଷ୍ଠ ପୁଲିସ ଅଧିକାରୀମାନେ ବ୍ରହ୍ମଗିରିରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି ।