ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେ

124

କନକ ବ୍ୟୁରୋ : ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ । ଆସନ୍ତାକାଲି ଭାରତ ପାଳିବ ୭୫ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମାକ୍ରୋନ । କିନ୍ତୁ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପୂର୍ବରୁ ରାଷ୍ଟ୍ରପତି ମାକ୍ରୋନ୍ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜସ୍ଥାନ ଜୟପୁରର ଐତିହାସିକ ଆମେର ଦୁର୍ଗ ପରିଦର୍ଶନ କରିବେ ।
ଆମେର ଦୁର୍ଗ ଷୋଡ଼ଶ ଶତାବ୍ଦୀରୁ ସ୍ଥାପିତ ହୋଇଛି । ଯାହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳଭାବେ ଘୋଷଣା କରିଛି । ଇମାନୁଏଲ ମାକ୍ରୋନ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପିଙ୍କ ସିଟି ଦେଖିବା ପାଇଁ ଚାଲି ଚାଲି ତ୍ରିପୋଲିଆ ଗେଟ୍ ଯିବେ । ଇମାନୁଏଲ ମାକ୍ରୋନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରୋଡ୍ ସୋ କରିବେ । ଏହା ପରେ ଦୁହେଁ ରାମବାଗରେ ପହଞ୍ଚିବେ । ଏଥିସହିତ ଦୁହେଁ ଏକାଠି ରାତ୍ରୀ ଭୋଜନ ମଧ୍ୟ କରିବେ । ଏହାପରେ ଦୁହେଁ ଏକାଠି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହି ପ୍ରତିନିଧି ଦଳରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଅନେକ ମନ୍ତ୍ରୀ ରହିବେ ।