କେନ୍ଦ୍ରସରକାର ଆଣିଲେ ‘ପିଏମ-ବାଣୀ’ ଯୋଜନା । ଏଣିକି ସବୁ ଗାଁରେ ଖୋଲିବ ୱାଇଫାଇ କେନ୍ଦ୍ର । ଗ୍ରାମାଞ୍ଚଳରେ ସହଜରେ ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା ।

422

କନକ ବ୍ୟୁରୋ : ଏଣିକି ପ୍ରତିଟି ଗ୍ରାମାଞ୍ଚଳରେ ରହିବ ୱାଇଫାଇ କେନ୍ଦ୍ର । ମାଗଣାରେ ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା । ଏନେଇ କେନ୍ଦ୍ରସରକାର ‘ପିଏମ୍- ବାଣୀ’ ନାମରେ ଏକ ଯୋଜନା ଆଣିବାକୁ ଯାଉଛନ୍ତି । ଏହି ଯୋଜନା ମୁତାବକ ସମସ୍ତ ଗ୍ରାମାଞ୍ଚଳକୁ ମାଗଣାରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ରବିଶଂକର ପ୍ରସାଦ ଏହି ପିଏମ-ବାଣୀ ଯୋଜନା ସଂପର୍କରେ ସୂଚନା ଦେଇଥିଲେ । ଗ୍ରାମାଞ୍ଚଳର ଲୋକମାନେ ଯେଭଳି ସୁବିଧାରେ ଇଣ୍ଟରନେଟ୍ ପାଇପାରିବେ ସେନେଇ ଏହି ଯୋଜନା କରାଯାଉଥିବା ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ମୁତାବକ ଦେଶର ଗ୍ରାମାଞ୍ଚଳ ମାନଙ୍କରେ ୧ କୋଟି ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରୀ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦୀପରେ କିଭଳି ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇପାରିବ ସେ ନେଇ ବି ଆଲୋଚନା ହୋଇଛି । ଲାକ୍ଷାଦୀପରେ ଅଣ୍ଡର ଗ୍ରାଉଣ୍ଡ କେବୁଲ ମାଧ୍ୟମରେ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ୧୦୭୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଂକର ପ୍ରସାଦ । ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ କିଭଳି ୪-ଜି ସେବା ଯୋଗାଇ ଦିଆଯିବ ସେନେଇ ବି ନିଷ୍ପତ୍ତି ହୋଇଛି ।

ଏହି ପରିପେକ୍ଷୀରେ ସରକାର ପବ୍ଲିକ ଡାଟା ଅଫିସ ବା ପିଡିଓ ଖୋଲିବେ । ଏନେଇ କୌଣସି ପଞ୍ଜିକରଣର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି । କୌଣସି ଦୋକାନ ଗୃହକୁ ଡାଟା ଅଫିସରେ ପରିଣତ କରାଯାଇ ପାରିବ ।