ନୂଆବର୍ଷରେ ଗ୍ରାହକ ମାନଙ୍କୁ ଜିଓର ଉପହାର । ଜାନୁଆରୀ ପହିଲାରୁ କୌଣସି ଲୋକାଲ କଲ ପାଇଁ କରିବାକୁ ପଡିବ ନାହିଁ ରିଚାର୍ଜ

2,683

କନକ ବ୍ୟୁରୋ : ରିଲିୟାନ୍ସ ଜିଓ ପୁଣି ଥରେ ଭଏଲ କଲ ବିଲକୁଲ ମାଗଣା କରିବାକୁ ଯାଉଛି । ଜିଓ ଉପଭୋକ୍ତା ମାନେ ଜାନୁଆରୀ ପହିଲାରୁ ମାଗଣାରେ ସମସ୍ତ ଫୋନକୁ ଭଏସ୍ କଲ କରିବାର ସୁବିଧା ପାଇବେ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି । କମ୍ପାନୀ ତରଫରୁ କୁହାଯାଇଛି କି ଅଫ୍ ନେଟ୍ ଡୋମେଷ୍ଟିକ କଲ ପାଇଁ ଉପଭୋକ୍ତାଙ୍କୁ କୌଣସି ରିଚାର୍ଜ କରିବାକୁ ପଡିବ ନାହିଁ । ଜିଓ ଏଭଳି ସୂଚନା ଦେବା ପରେ ଅନ୍ୟ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ସେୟାରରେ ୨ ପ୍ରତିଶତ କ୍ଷତି ହୋଇଛି ।

ଜିଓର ଏଭଳି ଘୋଷଣା ପରେ ନୂଆବର୍ଷ ଆରମ୍ଭରୁ ଜିଓରୁ ଅନ୍ୟ କୌଣସି ନେଟୱାର୍କକୁ ଭଏସ କଲ କରିବାକୁ ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହି ସୁବିଧା ପୁରା ଦେଶରେ ଲାଗୁ ହେବାକୁ ଯାଉଛି । ବର୍ତ୍ତମାନ ଆଇୟୁସି ବ୍ୟବସ୍ଥା ପାଇଁ ଗ୍ରାହକଙ୍କୁ ଅଫ୍ ନେଟ୍ ଭଏସ କଲ ପାଇଁ ଦେୟ ଦେବାକୁ ପଡୁଥିଲା ।

କହିରଖୁ କି ୨୦୧୯ ସେପ୍ଟେମ୍ବର ମାସ ଠାରୁ ଟେଲିକମ୍ ରେଗୁଲେଟୋରୀ ଅଥରେଟି ଅଫ୍ ଇଣ୍ଡିଆ ତରଫରୁ ମୋବାଇଲରୁ ମୋବାଇଲକୁ କଲ କରିବାକୁ ଥିବା ଆଇୟୁସିକୁ ଜାନୁଆରୀ ୨୦୨୦ ଯାଏ ବୃଦ୍ଧି କରିଥିଲେ । ଏହା ପରେ ଜିଓ ତା’ର ଗ୍ରାହକ ମାନଙ୍କ ଠାରୁ ଅଫ୍ ନେଟ୍ କଲ ପାଇଁ ଦେୟ ଆଦାୟ କରୁଥିଲା ।

କମ୍ପାନୀ ତରଫରୁ ଆହୁରି କୁହାଯାଇଛି କି ଜିଓ ରୁ ଜିଓକୁ ଅନ୍ ନେଟ ଭଏସ୍ କଲ ଫ୍ରି ରହିଛି । ଭୋଲ୍ଟ ଭଳି ଆଡଭାନ୍ସ ଟେକ୍ନୋଲୋଜି ଜରିଆରେ ଭାରତୀୟ ନାଗରିକଙ୍କ ଏହି ସୁବିଧା ଯୋଗାଇ ଦେବାକୁ ଜିଓ ପ୍ରତିବଦ୍ଧ ।
ରିଲିୟାନ୍ସ ଜିଓ ଅକ୍ଟୋବର ମାସ ସୁଦ୍ଧା ୨୨ ଲକ୍ଷ ରୁ ଅଧିକ ଗ୍ରାହକଙ୍କୁ ନିଜ ସହିତ ଯୋଡି ସାରିଛି । ଏହା ସହ କମ୍ପାନୀ ପାଖରେ ମୋଟ ୪୦.୬୩ କୋଟି ଉପଭୋକ୍ତା ଥିବା କଥା କମ୍ପାନୀ ସ୍ପଷ୍ଟ କରିଛି ।