ନିଜ କ୍ଷେତ୍ରରେ ରିଲିଆନ୍ସ ଆରମ୍ଭ କଲା ମାଗଣା ଟିକାକରଣ । ୮୮୦ ସହରରେ ନିଜ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ ମାଗଣାରେ ଦିଆଯିବ ଟିକା

576

କନକ ବ୍ୟୁରୋ : ସାରା ଦେଶରେ ଲୋକମାନଙ୍କୁ କରୋନା ଭୂତାଣୁରୁ ରକ୍ଷା କରିବାକୁ ଚାଲିଥିବା ଟିକାକରଣ ଅଭିଯାନକୁ ପୁଣି ଦ୍ରୁତ କରାଯାଇଛି । ମେ ମାସରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ଦେଶର ସବୁଠାରୁ ବଡ ଶିଳ୍ପ ସଂସ୍ଥା ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ଦେଶକୁ କରୋନା ମୁକ୍ତ କରିବାକୁ ସବୁଠାରୁ ବଡ ମାଗଣା ଟିକାକରଣ ଅଭିଯାନ ଆରମ୍ଭ କରିଛି । ଏହି ଟିକାକରଣ ଅଭିଯାନରେ କମ୍ପାନୀ ତରଫରୁ ନିଜର କର୍ମଚାରୀ, ସେମାନଙ୍କର ପରିବାର ଲୋକେ, କମ୍ପାନୀର ସହଭାଗୀ, ଓ ସେମାନଙ୍କର ପରିବାର ଲୋକଙ୍କୁ ଟିକା ଦେବାକୁ ଏକ ବିସ୍ତୃତ ଯୋଜନା କରାଯାଇଛି ।

କମ୍ପାନୀର ଏଭଳି ଯୋଜନା ଦ୍ୱାରା ରାଜ୍ୟମାନଙ୍କ ଦ୍ୱାରା ଚାଲିଥିବା ଟିକାକରଣ ଅଭିଯାନରେ ରାଜ୍ୟକୁ ସହଯୋଗ ମିଳିବ । ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଏଭଳି ଯୋଜନାରେ ଦେଶର ୮୮୦ ସହରରେ ୧୩ ଲକ୍ଷ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । କହିରଖୁ କି କମ୍ପାନୀର ଏଭଳି ଯୋଜନା କେବଳ ତାଙ୍କର ବର୍ତ୍ତମାନର କର୍ମଚାରୀ ମାନଙ୍କ ପାଇଁ ନୁହେଁ ବରଂ କମ୍ପାନୀରେ କାମ କରି ଅବସର ନେଇଥିବା କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଏଥିରୁ ଲାଭ ମିଳିବ । କମ୍ପାନୀ ତରଫରୁ ସେମାନଙ୍କୁବି ମାଗଣାରେ ଟିକା ଦିଆଯିବ ।

ଅନ୍ୟପଟେ ଏହି ଟିକା କମ୍ପାନୀର କର୍ମଚାରୀ ମାନଙ୍କୁ ସେମାନଙ୍କ କର୍ମସ୍ଥଳୀରେ ଦିଆଯିବ ବୋଲି କୁହାଯାଇଛି । ଏହାସହ କମ୍ପାନୀର ସୂଚନା ମୁତାବକ ଏପର୍ଯ୍ୟନ୍ତ ୩.୩୦ ଲକ୍ଷରୁ ଅଧିକ ଲୋକଙ୍କୁ କମ୍ପାନୀ ତରଫରୁ ମାଗଣା ଟିକା ଦିଆଯାଇଛି । ଏହାସହ କମ୍ପାନୀ ତରଫରୁ କୁହାଯାଇଛି କି, ଯେଉଁ କର୍ମଚାରୀମାନେ ବାହାରୁ ଟିକା ନେଇଛନ୍ତି ସେମାନଙ୍କୁ କମ୍ପାନୀ ତରଫରୁ ଟିକା ଖର୍ଚ୍ଚ ପ୍ରଦାନ କରାଯିବ ।