କନକ ବ୍ୟୁରୋ : ଭାରତରେ କରୋନା ଟିକାକରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଟିକାକରଣ ବେଳେ ଦେଖାଦେବାକୁ ଥିବା ସମସ୍ୟାର ସମାଧାନ ପାଇଁ ଆଜିଠାରୁ ସାରା ଦେଶରେ ପାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ ଆରମ୍ଭ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଭଳି ଉପଯୁକ୍ତ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ଡ୍ରାଏ ରନ୍ ର ଶୁଭାରମ୍ଭ କରିବାକୁ ଦିଲ୍ଲୀର ଜିଟିବି ହସ୍ପିଟାଲ ଯାଇଥିବା ବେଳେ  ସେ କହିଛନ୍ତି କି ଦେଶସାରା ପ୍ରତିଟି ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଦିଆଯିବ ।

Advertisment

ଶୁଭାରମ୍ଭ କରିବା ପରେ ସେ ଯେତେବେଳେ ଜିଟିବି ହସ୍ପିଟାଲରୁ ବାହାରିଥିଲେ ସେତେବେଳେ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ସେ କହିଥିଲେ କି ‘ଲୋକଙ୍କୁ ଅନୁରୋଧ କରୁଛୁ କି ସେମାନେ ମିଥ୍ୟା ପ୍ରଚାର ଠାରୁ ଦୂରେଇ ରୁହନ୍ତୁ । ଭ୍ୟାକସିନ୍ ର ସୁରକ୍ଷାକୁ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ।’ ଏହାସହ ସେ ପୋଲିଓ ଟିକା କଥା ବି ମନେପକାଇ କହିଥିଲେ କି ପୋଲିଓ ଟିକାକାରଣ ବେଳେ ବି ଏଭଳି କିଛି ମିଥ୍ୟା ପ୍ରଚାର କରାଯାଉଥିଲା । ହେଲେ ଟିକାକରଣ ସୁରଖୁରୁରେ ଚାଲିଲା ଓ ଏବେ ଦେଶ ପୋଲିଓମୁକ୍ତ ହୋଇଛି ।

ଡ୍ରାଏ ରନ୍ କୁ ନେଇ ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି ପୂର୍ବଥର ୪ ଟି ରାଜ୍ୟରେ ସଫଳତାର ସହ ଡ୍ରାଏ ରନ୍ ହୋଇଛି । ଏହାସହ ଡ୍ରଏ ରନ୍ ବେଳେ ଦେଖା ଦେଇଥିବା ସମସ୍ୟାକୁ ନଜରରେ ରଖି ଏବେ ତାହାର ସୁଧାର ଅଣାଯାଇପାରିଛି । ଏହି ଡ୍ରଏ ରନ୍ ବେଳେ ଟିକାକୁ ଛାଡି ଅନ୍ୟସବୁ ଦିଗ ଉପରେ ଯାଂଚ କରାଯାଉଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ୨ ହଜାରରୁ ଅଧିକ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷିତ କରାଯାଇଛି । ଏହାସହ ଜିଲ୍ଲା ଓ ବ୍ଲକ ସ୍ତରରେ ପ୍ରଶିକ୍ଷକଙ୍କୁ ଟ୍ରେନିଂ ଦିଆଯାଇଛି । ଯେଉଁମାନେ କି ଟିକାକରଣ ବେଳେ ଲୋକ ମାନଙ୍କୁ ଟିକାକରଣର ପ୍ରକ୍ରିୟା ଓ ତା ପରବର୍ତ୍ତି ସ୍ତରର ସାବଧାନତା ଉପରେ ଶିକ୍ଷା ଦେବେ ।