ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ : କେବଳ କାର୍ଡ ଦେଖାଇଲେ ମିଳିବ ମାଗଣା ଚିକିତ୍ସା ।

149

କନକ ବ୍ୟୁରୋ : ବଲାଙ୍ଗୀରରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ରୂପରେ ଆସିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କରିଛନ୍ତି ନବୀନ । ଏହି ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି ନବୀନ । ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ  ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ।  ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ ।

ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡିବନି । କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ ।  ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ।

ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି ସେମାନେ ଏହି କାର୍ଡ ପାଇପାରିବେ । ସେହିଭଳି  ଅନପୂର୍ଣ୍ଣା, ଅନ୍ତୋଦୟ, ବିଜୁ କୃଷକ କଲ୍ୟାଣ କାର୍ଡ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ, ରାଜ୍ୟ ସରକାରଙ୍କ ରାସନ କାର୍ଡ ପାଇଥିବା ହିତାଧିକାରୀ, ଆୟ ସ୍ୱଳ୍ପ ଥିବା ବ୍ୟକ୍ତି ଏହି ସ୍ମାର୍ଟ ହେଲଥ କାର୍ଡର ସୁବିଧା ପାଇପାରିବେ । ଏହି କାର୍ଡରେ ସମ୍ପୂର୍ଣ୍ଣ କ୍ୟାସଲେସ ଭାବେ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବ ।