କନକ ବ୍ୟୁରୋ : ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ନବୀନ ଆଣିଲେ ଖୁସିଖବର । ବିଏସକେୱାଇ ନବୀନ କାର୍ଡ ହୋଇଛି ଶୁଭାରମ୍ଭ । ଏହି ନୂଆ କାର୍ଡ ଜରିଆରେ ବିଏସକେୱାଇରୁ ବଞ୍ଚିତ ଗ୍ରାମଞ୍ଚଳର ସବୁ ପରିବାର ଏହି ନୂଆ ଯୋଜନାରେ ସାମିଲ ହେବେ । କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କରାଯିବ । ଏହି କାର୍ଡ ଜରିଆରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ବିଏସକେୱାଇରେ ପଞ୍ଜିକୃତ ହସ୍ପିଟାଲରେ ଜଟିଳ ରୋଗର ଚିକିତ୍ସା ସୁବିଧା ପାଇପାରିବେ ।
ବିଏସକେୱାଇର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ରାଜ୍ୟର ଜନସଂଖ୍ୟାର ୯୦ ପ୍ରତିଶତ । ସେମାନଙ୍କୁ ବିଏସକେୱାଇ ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ମିଳିବ । ଏହି କାର୍ଡ ଦ୍ୱାରା କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗର ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କାରଣ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।
ଏହାପୂର୍ବରୁ ରାଜ୍ୟରେ ଅର୍ଥ ଅଭାବରୁ ଯେପରି କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ବିଏସକେୱାଇ ଯୋଜନା ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଥିଲା । ଏହି ଯୋଜନାରେ ମାସିକ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ହସ୍ପିଟାଲରେ ଏବଂ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ଏଥିପାଇଁ ସରକାର ମାସିକ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ୫ ବର୍ଷରେ ବିଏସକେୱାଇ ଯୋଜନାରେ ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
Follow Us