କନକ ବ୍ୟୁରୋ: ମାଗଣା ଚାଉଳ ବଣ୍ଟାକୁ ନେଇ ଜୋର ଧରିଛି ରାଜନୀତି । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଗଣା ଚାଉଳର ହିସାବ ଦେବା ପରେ ଶୁକ୍ରବାର କେନ୍ଦ୍ରକୁ ଘେରିଛି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ସସ୍ମିତ ପାତ୍ର ୨ଟି ବଡ ଅଭିଯୋଗ ଆଣିଛନ୍ତିି । କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲାଗୁ ହେବା ପରଠୁ ଓଡି଼ଶାର ୩କୋଟି ୨୫ଲକ୍ଷ ଲୋକଙ୍କୁ ମୋଟ ୧୦ କେଜି ଚାଉଳ ମିଳୁଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫କେଜି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେଜି । ମୋଟରେ ମୁଣ୍ଡପିଛା ୧୦ କେଜି ଚାଉଳ ପାଉଥିଲେ । ହେଲେ, ଏବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା ପରେ ୫କେଜି ଲେଖାଏଁ ଚାଉଳ ପାଇବାରୁ ବଞ୍ଚିତ ହେଲେ ଓଡି଼ଶାର ଲୋକେ । ଏଥିସହ ଚାଷୀ ଭାଇମାନେ ବି ହନ୍ତସନ୍ତ ହେଲେ । ତେଣୁ ପୁଣି ଥରେ ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନା ଲାଗୁ କରୁ କେନ୍ଦ୍ର ।
ମାଗଣା ଚାଉଳକୁୁ ନେଇ କେନ୍ଦ୍ର ସରକାରଙ୍କୁ ବିଜେଡି କାଠଗଡାକୁ ଟାଣିବା ପରେ, ବିଜେପି କଟାକ୍ଷ କରିଛି । ବିଜେପି ନେତା ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋଦୀ ଦେଉଛନ୍ତି ୩କୋଟି ୨୫ଲକ୍ଷ ଲୋକଙ୍କୁ ମାଗଣା ଚାଉଳ, ଏଥିରେ ରାଜ୍ୟ ସରକାରଙ୍କର ଟଙ୍କାକର ଯୋଗଦାନ ନାହିଁ । ହନୁମଲାବେଳେ ସତ କହେ । ବିଜେଡି କେବେ ମାନୁନଥିଲା ଯେ କେନ୍ଦ୍ର ସରକାର ଦେଉଛନ୍ତି, କିନ୍ତୁ ଆଜି ଓଡିଶାବାସୀଙ୍କ ଆଗରେ ମାନିଛି । ମିଛ ପ୍ରଚାର ଧରାପଡିଗଲା ପରେ ବିଜେଡି ପାଇଁ ରାଜନୈତିକ ସଙ୍କଟ ଆଉ ଅସ୍ତିତ୍ୱ ସଙ୍କଟ ସୃଷ୍ଟି ହୋଇଛି । ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି, ତାହେଲେ ୩କୋଟି ୨୫ଲକ୍ଷ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମାଗଣାରେ ଆଉ ୫କିଲୋ ଚାଉଳ ଦିଅନ୍ତୁ ।
ମାଗଣା ଚାଉଳକୁ ନେଇ ବିଜେଡି-ବିଜେପି ବୟାନବାଜି ତେଜିଥିବାବେଳେ, ଆଗକୁ ଏହା ଆହୁରି ଅଧିକ ହେବାର ସମ୍ଭାବନା ରହିଛି । ତେବେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଦେବାକୁ ଘୋଷଣା କରିବା ପରେ ରାଜ୍ୟ ସରକାର ଦେଉଥିବା ଟଙ୍କା ଏବେ ବଳକା ରହିବ । ଆଉ ସେହି ଟଙ୍କାରେ ରାଜ୍ୟ ସରକାର ଆଗାମି ଦିନରେ କିଛି ନୂଆ ଯୋଜନା ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Follow Us