ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ କରାଯାଉଥିବା ମାଗଣା ରାସନ ସାମଗ୍ରୀ ଚଳିତ ମାସ ଠାରୁ ବନ୍ଦ ହେବ । ଲକ୍‌ଡାଉନ ସମୟରେ ୮୧ କୋଟି ଲୋକଙ୍କୁ ମାଗଣାରେ ଦିଆଯାଇଛି ରାସନ

12,275

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଦିଆଯାଉଥିବା ରାସନ ସାମଗ୍ରୀ ଚଳିତ ମାସରୁ ବନ୍ଦ ହେବାକୁ ଯାଉଛି। ଲକ୍‌ଡାଉନ ଆରମ୍ଭରୁ ମୋଦି ସରକାର ଏହି ଯୋଜନାରେ ପାଖା ପାଖି ୮୧ କୋଟି ରାସନକାର୍ଡଧାରୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଥିଲେ । ଏହି ଯୋଜନା ମୁ୍‌ଖ୍ୟତ ପ୍ରବାସୀ ଶ୍ରମିକ ଓ ଗରିବଶ୍ରେଣୀର ଲୋକଙ୍କ ପାଇଁ ଆରମ୍ଭ କରାଯାଇଥିଲା । ଖାଦ୍ର, ଉପଭୋକ୍ତା ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ ଏହି ଯୋଜନା ଚଳିତ ମାସ ଠାରୁ ବନ୍ଦ ହୋଇଯିବ ।

କହିରଖୁ କି କେନ୍ଦ୍ରସରକାରଙ୍କର ଏହି ଯୋଜନାରେ ହିତାଧିକାରୀ ମାନଙ୍କୁ ମାସକୁ ୫ କେ.ଜି ଗହମ କିମ୍ବା ଚାଉଳ ମାଗଣାରେ ଦିଆଯାଉଥିଲା। ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଏହି ଯୋଜନା ଆଉ ଆଗକୁ ବଢାଯାଇ ପାରିବ ନାହିଁ । ମାତ୍ର କୌଣସି କାରଣରୁ ଯଦି କେହି ରାସନ ନେଇନଥା’ନ୍ତି ତାହେଲେ ଡିସେମ୍ବର ମାସରେ ସେମାନଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ । ଅନ୍ୟପଟେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନେ ପାଉଥିବା ରାସନ ସାମଗ୍ରୀ ପୂର୍ବପରି ପାଇପାରିବେ । ଚଳିତ ବର୍ଷ ମାର୍ଚ୍ଚ ମାସରେ କରୋନା ମହାମାରୀ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ସମସ୍ତ ଗରିବ ପରିବାରକୁ (ଯାହା ପାଖରେ ରାସନ କାର୍ଡ ରହିଛି) ସେମାନଙ୍କୁ ମାସକୁ ୫ କେ.ଜି ଚାଉଳ ବା ଗହମ, ମୁଣ୍ଡପିଛା ୧ କେ.ଜି ଚଣା ଡାଲି ମାଗଣାରେ ଯୋଗାଇଥିଲେ ।