କନକ ବ୍ୟୁରୋ : ଚାଲିଛି ଧାଁ ଦୌଡ । ସକାଳ ୬ଟାରୁ କଏ ଦୌଡୁଛି ତ ଆଉ କିଏ ବିଭିନ୍ନ ପ୍ରକାର ଶାରିରୀକ ପରିଶ୍ରମ କରୁଛନ୍ତି । ଶାରୀରିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ କସରତ କରୁଛନ୍ତି   । ବରଗଡ ପଂଚାୟତ କଲେଜ ପଡିଆର ଏହି ଦୃଶ୍ୟ ଦେଖି ଆପଣମାନେ ଭାବୁଥିବେ, ବୋଧହୁଏ ଏଠାରେ ଓପନ୍ ଜିମ୍ କରାଉଛି । ହେଲେ ନା, ଏହି ଅକ୍ଲାନ୍ତ ପରିଶ୍ରମ ପଛରେ ରହିଛି ଦେଶ ସେବାର ଆଶା । ସେନା, ପାରାମିଲିଟାରୀ ଫୋର୍ସ ଓ ପୁଲିସ ବିଭାଗରେ ଚାକିରି କରିବାର ସ୍ୱପ୍ନ । ଗ୍ରାମାଂଚଳର ଯୁବକ ଯୁବତୀଙ୍କ ସ୍ୱପ୍ନରେ ଡେଣା ଲଗାଇବା ପାଇଁ ସେମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି ବରଗଡ ଆଥଲେଟ୍ ସୁରେଶ ଦାସ ।

Advertisment

ଦେଢ ବର୍ଷ ତଳୁ କାମ କରୁଛି ବରଗଡ ଫିଜିକାଲ ଏକାଡେମୀ । ପ୍ରଶିକ୍ଷାର୍ଥୀମାନଙ୍କୁ ଦୌଡ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରଣକୌଶଳ ପ୍ରଶିକ୍ଷଣ ଦିଆଯାଉଛି । ଉଭୟ ଲିଖିତ ଓ ମୌଖିକ ପରୀକ୍ଷା ପାଇଁ ମଧ୍ୟ ପାଠ ପଢାଯାଉଛି । ଏବେ ୮୦ ଜଣ ପିଲା ପ୍ରଶିକ୍ଷଣ ନେଉଥିବା ବେଳେ ଏସଏସସିରେ ୭ ଜଣ ଯୁବତୀଙ୍କ ସହ ୨୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଆଗାମୀ ଦିନରେ ସେମାନେ ଆସାମ ରାଇଫଲ, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି, ସିଆରପିଏଫ୍ ଓ ଏନଆଇଏର ଯୋଗ ଦେବେ । ସେହିଭଳି ଏକାଡେମୀର ଅନ୍ୟ ୬ଜଣ ପିଲା ବରଗଡ ଏବଂ ସମ୍ବଲପୁର ପୁଲିସ ପାଇଁ ମନୋନିତ ହୋଇଥିବା ବେଳେ ଅଗ୍ନିବୀର ପାଇଁ ୮ଜଣ ଚୟନ ହୋଇଛନ୍ତି ।

ଖୁବ୍ ଅଳ୍ପ ଦିନରେ ବରଗଡ ଫିଜିାଲ ଏକାଡେମୀ ଯୁବବର୍ଗଙ୍କୁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଡ ଚଢାଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।