ବାତ୍ୟା ପରର ବନ୍ଧୁ ସାଜିଲେ ବିଧାୟକ । ଫୋନି ବିପନ୍ନଙ୍କୁ ଦେଲେ ରନ୍ଧାଖାଦ୍ୟ

ଫୋନି ମାଡରେ କ୍ଷତାକ୍ତ ପୁରୀ ଜିଲ୍ଲା

175

କନକ ବ୍ୟୁରୋ : ଫୋନି ମାଡରେ କ୍ଷତାକ୍ତ ପୁରୀ ଜିଲ୍ଲା । କାକଟପୁର ଅସ୍ତରଙ୍ଗ ଭଳି ଜିଲ୍ଲାର ପ୍ରାୟ ସବୁ ବ୍ଲକ ବାତ୍ୟା ମାଡ ଖାଇଛି । ଫୋନିର ୧୨ ଦିନ ପରେ ସ୍ଥିତି ଧିରେ ଧିରେ ସ୍ୱଭାବିକ ହେଉଛି । ହେଲେ ଝଡ ତୋଫାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଖାଇବା ପିଇବାରେ ବହୁ ଅସୁବିଧା ଭୋଗୁଛନ୍ତି ବାତ୍ୟା ବିପନ୍ନ । ଏତିକି ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି । କଣାସ ବ୍ଲକର ବିଭିନ୍ନ ପ୍ରଭାବିତ ଅଂଚଳରେ ରନ୍ଧା ଖାଦ୍ୟ ବାଂଟିଛନ୍ତି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଓ ପୁଅ ତଥା ବିଧାୟକ ପ୍ରାର୍ଥୀ ସୌଭିକ୍ ବିଶ୍ୱାଳ ।

ବାତ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ବାଂଟିଲେ ବିଜେଡି ବିଧାୟକ ଓ ବିଧାୟକ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୪ ଦିନ ହେଲାଣି ବିଜେଡି ପକ୍ଷରୁ ପୁରୀ ଜିଲ୍ଲା କଣାସ ବ୍ଲକରେ ରନ୍ଧା ଖାଦ୍ୟ ଦିଆଯାଉଛି । କଣାସ ବ୍ଲକ ଅଧିନ କଣାସ, ସିରେଇ, ବିଜୁପୁର, ଅଣ୍ଡାଳସିଂ, ଖଣ୍ଡାହେତା, ଆଳିବାଡ, ଜମଳଗୋଦା, ଗଡିଶାଗୋଦା, ବିନ୍ଧାଳ, ବଡଗଡସାହି, ସୁପରିଂ ଭଳି ୧୧ଟି ପଂଚାୟତରେ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ପ୍ରାର୍ଥୀ ସୌଭିକ୍ ବିଶ୍ୱାଳ ବାତ୍ୟା ପୀଡିତଙ୍କୁ ରନ୍ଧା ଖାଦ୍ୟ ବାଂଟିଛନ୍ତି । ପ୍ରତିଦିନ ପ୍ରାୟ ୩୦ ହଜାର ବିପନ୍ନଙ୍କୁ ବିଜେଡି ପକ୍ଷରୁ ଦୁଇ ଓଳି ରନ୍ଧାଖାଦ୍ୟ ଦିଆଯାଇଛି ।
ଫୋନି ମାଡରେ ଭାଙ୍ଗି ପଡିଥିବା ଅଧା ଓଡିଶାକୁ ପୁଣି ଥରେ ତାଜା କରିବା ପାଇଁ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଲୋକଙ୍କୁ ରିଲିଫ ଦେବା ସହ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଉଜୁଡା ସ୍ଥିତିକୁ ସୁଧାରି ନୂଆ ସକାଳ ପାଇଁ ସବୁ ବିଭାଗ ଲାଗି ପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କଣାସରେ ରନ୍ଧାଖାଦ୍ୟ ଦିଆଯାଉଥିବା ବେଳେ ଏହାର ତଦାରଖ କରିଛନ୍ତି କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ପୁରୀ ଜିଲ୍ଲାର କଣାସ ବ୍ଲକ ବାତ୍ୟା ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ରନ୍ଧାଖାଦ୍ୟ ବଂଟନ ଉଦ୍ୟମକୁ ବାତ୍ୟା ବିପନ୍ନ ପ୍ରଶଂସା କରିଛନ୍ତି ।