କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଜମ୍ମୁ-କାଶ୍ମୀରରେ ଏହାକୁ ଲାଗୁ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଶନିବାରଦିନ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉଦଘାଟନ ପରେ ଏବେ ଜମ୍ମୁ-କଶ୍ମୀରବାସୀଙ୍କ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଫ୍ଲୋଟର ବେସିସରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ମାଗଣା ସ୍ୱାସ୍ଥ୍ର୍ୟସେବା ପାଇଁ ରାଜ୍ୟର ୨୨୯ ଟି ସରକାରୀ ଏବଂ ୩୫ ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମୁତାବକ ତାଲିକାଭକ୍ତ ଯେକୌଣସି ହସ୍ପିଟାଲରେ ଲୋକମାନେ ମାଗଣାରେ ଚିକିତ୍ସା କରାଇ ପାରିବେ ।
କହିରଖୁ କି ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ୨୩ ସେପ୍ଟେମ୍ବର ୨୦୧୮ ରେ ଶୁଭାରମ୍ଭ କରିଥିଲେ । ଏହା ପରେ ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ରାଜି ହୋଇନଥିଲେ । ସେମାନେ କହିଥିଲେ କି ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସେମାନଙ୍କର ନିଜସ୍ୱ ଯୋଜନା ରହିଛି । କେନ୍ଦ୍ର ସରକାର ସେହି ଯୋଜନାକୁ ଆହୁରି ବଳଶାଳୀ କରିବାକୁ ଅର୍ଥ ପ୍ରଦାନ କରନ୍ତୁ । ହେଲେ ଏହାକୁ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି । ଅନ୍ୟପଟେ ଜମ୍ମୁ-କାଶ୍ମୀରରୁ ୩୭୦ ହଟିବା ପରେ ସେଠାରେ ବିଭିନ୍ନ ସେବାକୁ ଏବେ ବି ବନ୍ଦ ରଖାଯାଇଛି । ଲୋକମାନେ ଇଣ୍ଟରନେଟ୍ ସେବା ପାଇବାରୁ ମୁଖ୍ୟତ ବଂଚିତ ରହିଛନ୍ତି । ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିରୋଧୀ ରାଜନୀତି ବୋଲି କହିଛି ।