କଟକ ବଡ ମେଡିକାଲରେ ମାଗଣାରେ ମିଳିବ ଇକମୋ ଚିକିତ୍ସା । ୯ଟି ମେସିନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ନବୀନ କହିଲେ ଇକମୋ ଚିକିତ୍ସା ପାଇଁ ସବୁ ଖର୍ଚ୍ଚ କରିବେ ସରକାର ।

125

କନକ ବ୍ୟୁରୋ : ଏଣିକି କଟକ ବଡ ମେଡିକାଲରେ ମିଳିବ ମାଗଣା ଇକମୋ ଚିକିତ୍ସା । ଏହି ମାଗଣା ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସଗୀକୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ ହେବ । ଏସସିବି ହସ୍ପିଟାଲରେ ସମୁଦାୟ ୯ଟି ମେସିନ୍ ରହିବ ।

ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ନବୀନ କହିଛନ୍ତି, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଓଡ଼ିଶାରେ ହିଁ ଚିକିତ୍ସିତ ହେବେ ରୋଗୀ । ଏହି ଚିକିତ୍ସା ବେଶ ଅର୍ଥ ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇଦେବେ । ଏହି ଚିକିତ୍ସାରେ ଯାହା ବି ଖର୍ଚ୍ଚ ହେବ ଲୋକଙ୍କ ଉପରେ ପଡିବ ନାହିଁ । ସବୁ ଖର୍ଚ୍ଚ ସରକାର ବହନ କରିବେ । ତୃତୀୟ ଲହରର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ । ଏଥିରେ ଶିଶୁ ମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହୁଛନ୍ତି । ତେଣୁ ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ ।

ଏହାପୂର୍ବରୁ କରୋନା ଯୋଗୁଁ ଯେଉଁମାନଙ୍କର ଲଙ୍ଗସ ଇନଫେକସନ ହେଉଥିଲା ଓ ଗୁରୁତର ହେଉଥିଲେ ସେମାନଙ୍କ ପାଇଁ ଇକମୋ ଚିକିତ୍ସାର ଆବଶ୍ୟକତା ପଡୁଥିଲା । ଦ୍ୱିତୀୟ ଲହର ସମୟରେ ଏହି ମେସିନର ବେଶୀ ଆବଶ୍ୟକତା ସାମନାକୁ ଆସିଥିଲା । ରାଜ୍ୟର ଏହି ଚିକିତ୍ସାର ସୁବିଧା ନଥିବାରୁ ଅନେକ ରୋଗୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେନାଇ, କୋଲାକାତା ଭଳି ସହରକୁ ଯାଇ ଚିକିତ୍ସିତ ହୋଇଥିଲେ । ଅତ୍ୟନ୍ତ ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଏସସିବିରେ ଇକମୋ ୟୁନିଟ୍ ସ୍ଥାପନ ପାଇଁ ନିଷ୍ପତି ନେଇଥିଲେ ସରକାର । ଆଉ ଘୋଷଣାର ୩ ମାସ ମଧ୍ୟରେ କଟକ ବଡ ମେଡିକାଲରେ ଇକମୋ ଚିକିତ୍ସା ସେବା କାର୍ଯ୍ୟକ୍ଷମ ହୋଇଛି ।

ସବୁଠୁ ବଡ କଥା ହେଲା, ଦେଶର ବିଭିନ୍ନ ସ୍ଥ୍ାନରେ ଇକମୋ ଚିକିତ୍ସାର ସୁବିଧା ରହିଛି । ନାମୀଦାମୀ ହସ୍ପିଟାଲରେ ଥିବା ଏହି ଇକମୋ ଚିକିତ୍ସାର ସୁବିଧଶ ପାଇବାକୁ ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ଦେଶର ପ୍ରଥମ ମେଡିକାଲ ଭାବେ କଟକ ବଡ ମେଡିକାଲରେ ମାଗଣାରେ ଇକମୋ ଚିକିତ୍ସା ଯୋଗାଇ ଦେଇଛନ୍ତି ସରକାର । ଯାହାଦ୍ୱାରା ଅର୍ଥାଭାବରୁ ଏହି ଚିକିତ୍ସାରୁ ବଞ୍ଚିତ ହେଉଥିବା ରୋଗୀଙ୍କୁ ଏହାର ଫାଇଦା ମିଳିବ । ଆଉ ନବୀନଙ୍କ ଏଭଳି ପଦକ୍ଷେପକୁ ଏବେ ଚାରିଆଡୁ ପ୍ରଂଶସା କରାଯାଉଛି । ଏହାପୂର୍ବରୁ ଇକମୋ ଚିକିତ୍ସା ଯୋଗାଇ ଦେବାକୁ ୨ଟି ଟିମକୁ ପ୍ରଶିକ୍ଷିଣ ଦିଆଯାଇଛି । ଯେଉଁମାନେ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି ।