ମାଗଣା ଟିକା ଯୋଗାଇ ଦେବାକୁ ଦାବି କଲେ ବିରୋଧୀ : ବିଜେପି କହିଲା ଛତିଶଗଡ଼, ଆସାମ, ମଧ୍ୟପ୍ରଦେଶ ଭଳି ଓଡ଼ିଶାରେ ସମସ୍ତଙ୍କୁ ଯୋଗାଇ ଦିଆଯାଉ ମାଗଣା ଟିକା

କଂଗ୍ରେସର ବି ରଖିଲା ସମାନ ଦାବି

161

କନକ ବ୍ୟୁରୋ : ମାଗଣାରେ ଟିକା ଯୋଗାଇ ଦେବାକୁ ଛତିଶଗଡ, ମଧ୍ୟପ୍ରଦେଶ , ଆସାମ ଓ ଉତରପ୍ରଦେଶ ସରକାର ଘୋଷଣା କରିବା ପରେ ଓଡିଶାରେ ସମାନ ଦାବି ଉଠାଇଲେ ବିରୋଧୀ । ଓଡିଶା ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

କରୋନା ସଂକ୍ରମଣ ବୃଦ୍ଧି, ଟିକା ଓ ଅକ୍ସିଜେନର ଅଭାବକୁ ନେଇ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ପଂଚାନନ କୁାନୁନଗୋ । ଟିକା ଅଭାବ ନେଇ ବିଭିନ୍ନ ରାଜ୍ୟ ଉଠାଇବା ପ୍ରଶ୍ନ ସତ ନା ମିଛ, ଅକ୍ସିଜେନ ଅଭାବରୁ ରୋଗୀଙ୍କର ମୃତ୍ୟୁ ହେଉଛି ଏଥିପାଇଁ କିଏ ଦାୟୀ ରହିବେ । ଭାରତୀୟ ଜନତା ପାର୍ଟି ଏଭଳି ୧୦ଟି ପ୍ରଶ୍ନ ପଚାରିଛନ୍ତି ପଂଚାନନ ।

ପ୍ରଥମ ପ୍ରଶ୍ନ – କେବଳ ମହାରାଷ୍ଟ୍ରରେ କରୋନା ଆତଙ୍କ ପୂର୍ବରୁ ଆରମ୍ଭ ହୋଇଥିଲା। ପରେ ଏହା ଦେଶ ତମାମ ଅତି କ୍ଷିପ୍ରଗତିରେ ଆକ୍ରାନ୍ତ ସଂଖ୍ୟାବୃଦ୍ଧି ମାଡ଼ିଗଲା ଏପରିକି ଟିକା ନେଇଥିବା ଲୋକଙ୍କ ଆକ୍ରାନ୍ତ ହେବା ଓ ମୃତ୍ୟୁବରଣ କରିବା ଦେଖାଗଲା । ଏହାର କ୍ଷିପ୍ରତା ଓ ‘ କୁମ୍ଭମେଳା’ର ଗଙ୍ଗାସ୍ନାନ ପରେ ହୋଇଥିବା ଅସତ୍ୟ କି ?

ଦ୍ବିତୀୟ ପ୍ରଶ୍ନ – ଲକ୍ଷ ଲକ୍ଷ ଲୋକ କୋଭିଡ଼ ନିୟମ ପାଳନ ନକରି ଗୋଟିଏ ଜାଗାରେ ଏକତ୍ରୀତ ହେଲେ ବୁଡ଼ ପକାଇଲେ ଓ ଏହା ଆକ୍ରାନ୍ତ ସଂଖ୍ୟା ବଢ଼ିବା, ମୃତ୍ୟୁସଂଖ୍ୟା ବଢ଼ିବାର କାରଣ ହେଲା । ଏଥିପାଇଁ କୁମ୍ଭମେଳାକୁ ଅନୁମତି ଦେଇଥିବା ସରକାର ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଦାୟୀ ନା ନାହିଁ ? ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ?

ତୃତୀୟ ପ୍ରଶ୍ନ – କୁମ୍ଭମେଳାରେ ସମବେତ ଅମାନିଆମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ? କୋଭିତ-୧୯ର ଆଇନ ଅନୁସାରେ କେତେ ଜୋରିମାନା ଆଦାୟ ହୋଇଛି ଓ କେତେ ଜଣଙ୍କୁ ତତକ୍ଷଣାତ୍ ଆଇସେଲେସନକୁ ପଠାଯାଇଛି ?

ଚତୁର୍ଥ ପ୍ରଶ୍ନ – ବର୍ତ୍ତମାନ ବିଭିନ୍ନ ରାଜ୍ୟ ଡାକ୍ତରଖାନାମାନଙ୍କରେ ଅକ୍ସିଜେନ୍ ଅଭାବ ହେତୁ ଆକ୍ରାନ୍ତ ଅନେକ ସଂଖ୍ୟାରେ ମୃତ୍ୟୁବରଣ କରୁଥିବା କ’ଣ ଅସତ୍ୟ। ଏହାର ପୂର୍ବାନୁମାନ ଓ ପୂର୍ବପ୍ରସ୍ତୁତି କେନ୍ଦ୍ର ସରକାରଙ୍କର ଦାୟିତ୍ଵ । ଏହି ଦାୟିତ୍ବ ତୁଲାଇବା ପରିବର୍ତ୍ତେ ମୋଦୀ-ଶାହା ଓ ତାଙ୍କ ମନ୍ତ୍ରିପରିଷଦ ଭୋଟ ନିସାରେ ଘୂରି ବୁଲିବା କେତେଦୂର ଯଥାର୍ଥ ?

ପଞ୍ଚମ ପ୍ରଶ୍ନ – ବିଭିନ୍ନ ରାଜ୍ୟ ଉଠାଇଥିବା ଟିକାର ଅଭାବ ସତ ନା ମିଛ ? ମୋଦୀ ଟିକାର ପ୍ରସ୍ତର କରି ‘ଦବାଇ ଭି କଢାଇ ଭି’ କୁହାଯାଉଥିବାବେଳେ ରାଜ୍ୟର ଓ ଡାକ୍ତରଖାନା ମାନଙ୍କରେ ଆବଶ୍ୟକତା ପୁରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ଵ । ଏଥୁରୁ ନିବୃତ୍ତ ରହି ଭୋଟ ପ୍ରସ୍ତରରେ ମାତିଥିବା ମୋଦୀ-ଶାହା ଏଥିପାଇଁ ଦାୟୀ ହେବେ ନା ନାହିଁ ?

ଷଷ୍ଠ ପ୍ରଶ୍ନ – ଆସନ୍ତା ୬ ମାସ ପାଇଁ ଦେଶର କେତେ ଟିକା ଆବଶ୍ୟକତା ଅଛି ? କେଉଁ କେଉଁ ରାଜ୍ୟର କେତେ ଦରକାର ଓ ଏଥିପାଇଁ କି କି ବ୍ୟବସ୍ଥା କରାଯାଇଛି ତାହା ସର୍ବସାଧାରଣଙ୍କୁ ଜଣାଇବେ କି ? ଓଡ଼ିଶାବାସୀଙ୍କୁ ଓଡ଼ିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତତଃ ଜଣାଇବେ ବୋଲି ଆଶା କରୁ ।

ସପ୍ତମ ପ୍ରଶ୍ନ – ଅକ୍ସିଜେନ ଅଭାବରୁ ଅନେକ ଶିଳ୍ପ ସଂସ୍ଥା ବନ୍ଦ ହେଲାଣି ଓ ହେବାକୁ ଯାଉଛି । ଏ ସଂପର୍କରେ କ’ଣ ବିକଳ୍ପ ବ୍ୟବସ୍ଥା କରାଯାଇଛି ।

ଅଷ୍ଟମ ପ୍ରଶ୍ନ – ପ୍ରବାସୀମାନଙ୍କ ଘରବାହୁଡା଼ ବଡ଼ ଚିନ୍ତାର କାରଣ ହେଲାଣି। ଗତବର୍ଷ ଏହି ସମସ୍ୟାରୁ ଭାରତ ସରକାର କିଛି ଶିକ୍ଷାଲାଭ କରିଥିବା ପରି ମନେ ହେଉନାହିଁ । ପ୍ରବାସୀଙ୍କ ଘରବାହୁଡ଼ା ଜନିତ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ଏପର୍ଯ୍ୟନ୍ତ ନାହିଁ କାହିଁକି ? ଓ ରାଜ୍ୟରେ ସବୁଦିନ କେନ୍ଦ୍ର ସରକାରଙ୍କ ବାହାଦୁରୀ ପ୍ରସ୍ତର କରୁଥିବା କେନ୍ଦ୍ରମନ୍ତ୍ରୀ ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କୁ ସେହିସବୁ ରାଜ୍ୟରେ ସୁରକ୍ଷିତ ରଖୁବାପାଇଁ ବ୍ୟବସ୍ଥା କରିନାହାନ୍ତି କାହିଁକି ?

ନବମ ପ୍ରଶ୍ନ – କରୋନାର ଭୟବହତା ଦୃଷ୍ଟିରୁ ପୂର୍ବରୁ ବଢ଼ି ଆସିଥିବା ବେରୋଜଗାରୀ, ବେକାରୀ ସମସ୍ୟା ଉତ୍କଟ ହେବ। ସେମାନଙ୍କ ଜୀବନ ଜୀବିକା ପାଇଁ କେନ୍ଦ୍ର ନିରବ କାହିଁକି ?

ଦଶମ ପ୍ରଶ୍ନ – ମୋଦୀ-ଶାହା ଓ ତାଙ୍କ ମନ୍ତ୍ରୀମାନେ ପଶ୍ଚିମବଙ୍ଗ, ଆସାମ ପ୍ରଭୃତି ୫ଟି ରାଜ୍ୟ ନିର୍ବାଚନରେ ଯେପରି ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରାଇଲେ ସେଥିପାଇଁ ସେମାନେ ହିଁ ଦାୟୀ ରହିବେ । ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଏପର୍ଯ୍ୟନ୍ତ ଦାଖଲ ହୋଇ ନାହିଁ କାହିଁକି ?